୨୦୧୯ ନିର୍ବାଚନ ଲଢିବେ କହ୍ନେୟା କୁମାର, ବିଜେପି ସହ ହେବ ସିଧା ଟକ୍କର । ପୂର୍ବରୁ ଦେଶଦ୍ରୋହ ମାମଲାରେ ଯାଇଥିଲେ ଜେଲ

37

୨୦୧୯ ଲୋକସଭା ନିର୍ବାଚନ ଲଢିପାରନ୍ତି କହ୍ନେୟା କୁମାର । ଦିଲ୍ଲୀର ଜବହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ନିର୍ବାଚନ ଲଢିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠୁ ବଡ କଥା ହେଲା, କହ୍ନେୟା କୁମାର ମହାଗଠବନ୍ଧନରୁ ପ୍ରାର୍ଥୀ ହେବା ସହ ବିଜେପି ବିରୋଧରେ ଲଢିପାରନ୍ତି । ଅଧିକାଂଶ ସମୟ ବିଜେପି ଓ ମୋଦି ସରକାରକୁ ଟାର୍ଗେଟ କରୁଥିବା କହ୍ନେୟା ପୂର୍ବରୁ ଦେଶଦ୍ରୋହ ମାମଲାରେ ଜେଲ ଯାଇଛନ୍ତି ।

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଦେଶ ବିରୋଧୀ ନାରା ଦେଉଥିବା ଦର୍ଶାଇ ଦେଶଦ୍ରୋହ ମାମଲାରେ କହ୍ନେୟା କୁମାରଙ୍କୁ ୨୦୧୬ରେ ଗିରଫ କରାଯାଇଥିଲା । ସେତେବେଳେ ସେ ଜେଏନୟୁର ଛାତ୍ର ସଂସଦ ସଭାପତି ରହିଥିଲେ । ଆତଙ୍କବାଦୀ ଅଫଜଲ ଗୁରୁ ଓ ମକବୁଲ ଭଟ୍ଟଙ୍କ ମୃତ୍ୟୁର ଗୋଟିଏ ବର୍ଷ ପୁରୁଣ ସମୟରେ ଜେଏନୟୁରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ଦେଶବିରୋଧୀ ନାରା ଦିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଆଉ ଯାହାକୁ ନେଇ ପୂରା ଦେଶରେ ବିବାଦ ଦେଖିବାକୁ ମିଳିଥିଲା । ଖାସକରି ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜୋର ଧରିଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ କହ୍ନେୟା କୁମାର, ଅର୍ନିବାଣ, ଓ ଉମର ଖାଲିଦଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ କରି ଗିରଫ କରିଥିଲା ।

ତେବେ ପରବର୍ତ୍ତୀ ସମୟରେ ୩ ମାର୍ଚ୍ଚ ୨୦୧୬ରେ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ କହ୍ନେୟା କୁମାର । ସେତେବେଳେ ତାଙ୍କ ଉପରେ ଲାଗିଥିବା ସମସ୍ତ ଆରୋପକୁ ଭୁଲ କହିଥିଲେ କହ୍ନେୟା କୁମାର । ଦେଶବିରୋଧୀ ନାରା ସେ ଆଦୌ ଦେଇନାହାନ୍ତି ବୋଲି କହିଥିଲେ କହ୍ନେୟା । ଆଉ ଏସବୁ ଭିତରେ ନିର୍ବାଚନ ମୈଦାନକୁ କହ୍ନେୟା ଓହ୍ଳାଇବେ ବୋଲି ଚର୍ଚ୍ଚା ହେଉଛି । ବିହାରର ବେଗୁସରାଇ ସଂସଦୀୟ କ୍ଷେତ୍ରରୁ ସିପିଆଇ ଟିକେଟରେ କହ୍ନେୟା ନିର୍ବାଚନ ଲଢିବେ । ଏପରିକି କହ୍ନେୟାଙ୍କ ପ୍ରାର୍ଥୀତ୍ୱକୁ ନେଇ ସମସ୍ତ ଦଳ ମଧ୍ୟରେ ସହମତି ମଧ୍ୟ ପ୍ରକାଶ ପାଇଛି ।

ସିପିଆଇ ପକ୍ଷରୁ କୁହାଯାଇଛି ଯେ, କହ୍ନେୟାଙ୍କ ପ୍ରାର୍ଥୀତ୍ୱକୁ ନେଇ ବାମପନ୍ଥୀ ଦଳ ଗୁଡିକ ମଧ୍ୟରେ ସହମତି ହୋଇଛି । ଏପରିକି ବିହାରରେ ମହାଗଠବନ୍ଧନ ଥିବାରୁ ଆରଜେଡି, କଂଗ୍ରେସ, ହାମ ଓ ଅନ୍ୟ ଦଳ ଗୁଡିକ ମଧ୍ୟ କହ୍ନେୟାଙ୍କ ବିରୋଧରେ ପ୍ରାର୍ଥୀ ଦେବେ ନାହିଁ । ଅଥାର୍ତ ବିଜେପି ସହ ସିଧାସଳଖ ଫାଇଟ କରିବେ କହ୍ନେୟା । ଏବେ ବେଗୁସରାଇ ନିର୍ବାଚନମଣ୍ଡଳୀରେ ବିଜେପି ସାଂସଦ ବିଜୟୀ ହୋଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭୋଲା ସିଂହ ଆରଜେଡି ପ୍ରାର୍ଥୀ ତନବୀର ହାସନଙ୍କୁ ୫୮ ହଜାର ଭୋଟରେ ହରାଇ ଏହି ସିଟ୍ କବଜା କରିଥିଲା ।

ଏହାଛଡା କହ୍ନେୟା କୁମାରଙ୍କ ନିଜ ଘର ମଧ୍ୟ ବେଗୁସରାଇ ନିର୍ବାଚନମଣ୍ଡଳୀରେ । ଯେଉଁଠାରେ ତାଙ୍କ ମା’ ମୀନା ଦେବୀ ଅଙ୍ଗନୱାଡି ସେବିକା ଭାବେ କାର୍ଯ୍ୟ କରୁଛନ୍ତି ଓ ବାପା ଜୟଶଙ୍କର ସିଂହ ଚାଷ କାମ କରି ଗୁଜରାଣ ମେଣ୍ଟାନ୍ତି । ଏସବୁ ଭିତରେ ନିର୍ବାଚନ ଲଢିବାକୁ ସିପିଆଇ ନେତାଙ୍କୁ କହ୍ନେୟା ଗ୍ରୀନ ସିଗନାଲ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।