ରାଜଧାନୀରେ କଙ୍ଗାରୁ କୋର୍ଟ । ଶିକ୍ଷକଙ୍କୁ ଲଣ୍ଡା କରି, କଳା ବୋଳି, ଚପଲ ମାଳ ପିନ୍ଧାଇ ବୁଲାଇଲେ ବସ୍ତିବାସିନ୍ଦା । ମାଡ ଖାଇଲେ ଜେଲ ବି ଗଲେ, ନ୍ୟାୟ ଅପେକ୍ଷାରେ ସ୍ତ୍ରୀ ।

228

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ନାକ ତଳେ ଚାଲିଲା କଙ୍ଗାରୁ କୋର୍ଟ । ଜଣେ ଶିକ୍ଷକଙ୍କୁ ଘଂଟା ଘଂଟା ଧରି ପିଟିଲେ ଗାଁ ଲୋକେ । ତଥାପି ରାଗ ଥମିଲାନି । ଚୁଟି କାଟି ଲଣ୍ଡା କଲେ, ଆଉ ଜୋତା ମାଳ ପିନ୍ଧାଇ ଗାଁ ବୁଲାଇଲେ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରାଜଧାନୀର ଧୀରକୁଟ ବସ୍ତିରେ ବସିଥିଲା ଏହିପରି କଙ୍ଗାରୁ କୋର୍ଟ । କଙ୍ଗାରୁ କୋର୍ଟର ଶିକାର ହୋଇଥିବା ଶିକ୍ଷକ ଏବେ ଜେଲର ଚାରିକାନ୍ଥ ଭିତରେ ନ୍ୟାୟ ଅପେକ୍ଷାରେ । ଅନ୍ୟପକ୍ଷରେ ଘଟଣାରେ ମାତ୍ର ଜଣକୁ ଗିରଫ କରି ଚୁପ ବସିଛି କମିଶନରେଟ ପୋଲିସ ।

ରାଜଧାନୀରେ କଙ୍ଗାରୁ କୋର୍ଟ । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଗୋଡେଇ ଗୋଡେଇ ପିଟିଲେ । ଏତିକିରେ ଥମିଲାନି ଅସନ୍ତୋଷ । ଚୁଟି କାଟିଲେ, ଲଣ୍ଡା ବି କଲେ । ଏହା ପରେ ମୁହଁରେ ବୋଳିଲେ ଚୂନକଳା । ଜୋତାମାଳ ପକାଇ ଗାଁ ବୁଲେଇଲେ ଶିକ୍ଷକଙ୍କୁ । ଅଭିଯୋଗ ଥିଲା ଶିକ୍ଷକ ଜଣକ ଘରେ ପଶି ଛାତ୍ରୀଙ୍କୁ କରିଥିଲେ ଅସଦାଚରଣ ।

ତେବେ କଙ୍ଗାରୁକୋର୍ଟର ଶିକାର ହୋଇଥିଲେ ଶିକ୍ଷକଙ୍କ ସ୍ତ୍ରୀ । କଙ୍ଗାରୁକୋର୍ଟରୁ ତାଙ୍କୁ ବି ନିସ୍ତାର ମିଳିନଥିଲା । ଭିଡ ଭିତରେ ତାଙ୍କୁ ବି ମାଡ ହୋଇଥିଲା । ସ୍ୱାମୀ ସ୍ତ୍ରୀ ଏକ କୋଚିଂ ସେଂଟର ଚଳାଉଥିଲେ । ପୂର୍ବରୁ ଟ୍ୟୁସନ୍ ଫି ମାଗିବାକୁ ଯାଇଥିବାରୁ ଷଡଯନ୍ତ୍ର କରି ତାଙ୍କ ସ୍ୱାମୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଘଟଣାରେ ନିର୍ଯ୍ୟାତନାର ଶିକାର ହୋଇଥିବା ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟ ଚଳାଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ଜଣକୁ ଗିରଫ କରିବା ପରେ ଅନ୍ୟ ସମସ୍ତେ ଫେରାର ହୋଇଯାଇଛନ୍ତି ।

କମିଶନରେଟ୍ ପୋଲିସ ଅଂଚଳରେ ଘଂଟା ଘଂଟା ଧରି ଚାଲିଲା କଙ୍ଗାରୁ କୋର୍ଟ । ଖାକି ବର୍ଦିକୁ ଚ୍ୟାଲେଂଜ ଘଟିଲା କାଣ୍ଡ । ମାଡ ଖାଇଥିବା ଶିକ୍ଷକ ଏବେ ଜେଲର ଚାରିକାନ୍ଥ ଭିତରେ । କିନ୍ତୁ କଙ୍ଗାରୁ କୋର୍ଟ ଚଳାଇଥିବା ଦୁର୍ବୁତମାନେ ଏବେ ଫେରାର । ତେବେ ଉଇ କେୟାର, ଉଇ ଡେୟାରର ନାରା ଦେଉଥିବା କମିଶନରେଟ୍ ପୋଲିସ ଘଟଣାରେ କେବେ ନ୍ୟାୟ ଦେବ, ତା ଅପେକ୍ଷାରେ ଶିକ୍ଷକଙ୍କ ପରିବାର ।