ଖୁବଶୀଘ୍ର ପରଦାକୁ ଆସିବ ବଲିଉଡ୍ ର ପ୍ରତୀକ୍ଷିତ ସିନେମା ‘ଥଲାଇବି’ : ସିନେମାରେ ଜୟଲଳିତାଙ୍କ ଅବିକଳ ଦେଖାଯାଉଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍ ।

340

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ଆଗାମୀ ଫିଲ୍ମ ‘ଥଲାଇବି’ର ଘୋଷଣା ହୋଇଯାଇଛି, ପ୍ରଶଂସକମାନେ ଏହାର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏଥିରେ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ଜୟଲଳିତାଙ୍କ ଜନ୍ମଜୟନ୍ତୀ ଅବସରରେ କଙ୍ଗନାଙ୍କ ନୂଆ ଲୁକ୍ ସେୟାର କରିଛନ୍ତି । ଏଥିରେ ସେ ଅବିକଳ ଜୟଲଳିତାଙ୍କ ଭଳି ଦେଖାଯାଉଛନ୍ତି ।

ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ବର୍ଡର ସହ ଧଳା ରଙ୍ଗର ଶାଢିରେ କଙ୍ଗନାଙ୍କର ଏହି ଲୁକ୍ ସେତେବେଳ ସମୟର, ଯେତେବେଳେ ଜୟଲଳିତା ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ଥିଲେ । ଏହି ଫଟୋକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ମଧ୍ୟ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହା ପୂର୍ବରୁ କଙ୍ଗନା ଫିଲ୍ମରେ ଭାରତନାଟ୍ୟମ୍ କରୁଥିବାର ଏକ ଲୁକ୍ ସାମ୍ନାକୁ ଆସିଥିଲା, ଯାହାକି ଖୁବ୍ ଭାଇରାଲ ହୋଇଥିଲା । ସବୁବେଳେ ନିଜର ନିଆରା ଅଭିନୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା କଙ୍ଗନାଙ୍କୁ କିନ୍ତୁ ଏହି ଫଟୋରେ ଚିହ୍ନିବା ବଡ଼ ମୁସ୍କିଲ୍ ହୋଇପଡୁଛି ।

ଏହି ଫଟୋକୁ ଦେଖିଲେ ଜଣା ପଡୁଛି କି ଜୟଲଳିତାଙ୍କ ଭଳି ଦେଖାଯିବାକୁ ନେଇ କଙ୍ଗନା ଖୁବ୍ ପରିଶ୍ରମ କରିଛନ୍ତି । ଜୟଲଳିତାଙ୍କ ଭୂମିକାକୁ ନିଖୁଣ ଭାବେ କରିବା ପାଇଁ କଙ୍ଗନା ଭାରତନାଟ୍ୟମ୍ ଓ ତାମିଲ ଶିଖିଥିଲେ । ଏହା ସହିତ ଲୁକ୍ ମ୍ୟାଚ୍ କରିବା ପାଇଁ ନିଜ ଓଜନ ବି ବଢ଼ାଇଥିଲେ । ଏହି ଫିଲ୍ମଟି ତାମିଲରେ ‘ଥଲାଇବି’ ଓ ହିନ୍ଦୀରେ ‘ଜୟା’ ପରଦାକୁ ଆସିବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଜୟ। ଫିଲ୍ମଟିର କାହାଣୀ ଲେଖିଛନ୍ତି ବାହୁବଳୀ ଓ ମଣିକର୍ଣ୍ଣିକାର ଲେଖକ ବିଜୟେନ୍ଦ୍ର ପ୍ରସାଦ। ଫିଲ୍ମଟି ୨୦୨୦ ମସିହା ଜୁନ୍ ୨୬ରେ ପରଦାକୁ ଆସିବାର ଲକ୍ଷ୍ୟ ରହିଛି।