କନ୍ଧମାଳରେ ଅସନ୍ତୋଷର ତାତି : ଘଟଣାର ପ୍ରତିବାଦରେ ଆଜି ବିଜେପି ଓ କଂଗ୍ରେସର ୧୨ ଘଂଟିଆ ବନ୍ଦ

52

କନ୍ଧମାଳ : ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ନୀରିହ ଗ୍ରାମବାସୀଙ୍କ ମୃତ୍ୟୁ ପ୍ରତିବାଦରେ ଆଜି କନ୍ଧମାଳ ବନ୍ଦ । ଏ ଅଭାବନୀୟ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାର ପ୍ରତିବାଦରେ ବିରୋଧୀ କଂଗ୍ରେସ ଓ ବିଜେପି ୧୨ ଘଂଟିଆ କନ୍ଧମାଳ ବନ୍ଦ ପାଳନ କରୁଛନ୍ତି । କଂଗ୍ରେସର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଆଜି ବନ୍ଦରେ ସାମିଲ ହୋଇଛି । ଦୁଇ ରାଜନୈତିକ ଦଳର ବନ୍ଦ ଡାକରା ଫଳରେ ଜିଲ୍ଲାରେ ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ଗାଡି ମୋଟର ଚଳାଚଳ ମଧ୍ୟ ଠପ ହୋଇଯାଇଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି କଗ୍ରେସ କର୍ମୀ ମାନେ ବନ୍ଦକୁ ସଫଳ କରିବା ଲାଗି ଉଦ୍ୟମ କରିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ କନ୍ଧମାଳରେ ଡେରା ପକାଇଛନ୍ତି ।

ଅନ୍ୟପକ୍ଷରେ ଆସନ୍ତାକାଲି ବନ୍ଦ ଡାକରା ପାଇଁ ନିଷ୍ପତି ହୋଇଥିଲେ ସୁଦ୍ଧା ପରବର୍ତୀ ସମୟରେ ଆଜି ବନ୍ଦ ପାଳନ କରିବା ପାଇଁ ବିଜେପି ନିଷ୍ପତି ନେଇଛି । ବିଜେପିର ପ୍ରତି ମଣ୍ଡଳ ସଭାପତି ବିଭିନ୍ନ ବ୍ଲକରେ ଏହି ବନ୍ଦ ଡାକରାର ନେତୃତ୍ୱ ନେଇଛନ୍ତି । ସେହିପରି ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ କନ୍ଧମାଳ ଗସ୍ତ କରିବ । ଏହି ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଘଟଣାର ଅନୁଧ୍ୟାନ କରିବ । ବିଜେପି ନେତା ଅଶୋକ ସାହୁ ବାଲିଗୁଡାରେ ବନ୍ଦରେ ସାମିଲ ହୋଇଛନ୍ତି ।