ଗୁମୁଡୁମାହା ଏନକାଉଂଟର ଘଟଣାର ପ୍ରତିବାଦ : ବାଲିଗୁଡାରେ ସଂଗ୍ରାମୀ ମଂଚର ଗଣ ଆନ୍ଦୋଳନ

28

ବାଲିଗୁଡା : କନ୍ଧମାଳ ଗୁମୁଡୁମାହା ଏନକାଉଂଟର ଘଟଣାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇବ ମାହା ଗଣହତ୍ୟା ବିରୋଧୀ ସଂଗ୍ରାମ ମଂଚ । ପୁଲିସର ଜୁଲୁମ ବିରୋଧରେ ଜିଲ୍ଲା ଓ ଜିଲ୍ଲାବାହାରୁ ସବୁ ବର୍ଗରୁ ସମର୍ଥନ ମିଳୁଥିବା ମଂଚ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୮ ତାରିଖ ରାତିର ଗଣହତ୍ୟାକାରୀଙ୍କ ଗିରଫଦାରୀ ଦାବିରେ ଆନ୍ଦୋଳନ କରିବ ମଂଚ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥିପାଇଁ ବାଲିଗୁଡାରେ କନ୍ଧ, ଡମ, ଗଣ୍ଡ, ପାଇକ ଆଦି ଆଦିବାସୀ ଓ ଦଳିତ ସଂପ୍ରଦାୟର ଲୋକ ଏକଜୁଟ୍ ହୋଇ ଏସ୍ଓଜି ଯବାନଙ୍କ ଗିରଫ ଦାବି କରିବେ । ଏହି ବିକ୍ଷୋଭ ରାଲିରେ ଜିଲ୍ଲା ଓ ଜିଲ୍ଲାବାହାରୁ ବହୁ ଆଦିବାସୀ ଓ ଦଳିତ ସମୁହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପାରଂପରିକ ଅସ୍ତ୍ରଶସ୍ତ୍ର ସହ ରାଲିରେ ବାହାରିବେ ଆଦିବାସୀ । ମୃତ ଆଦିବାସୀ ଓ ଦଳିତ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମଂଚ ପକ୍ଷରୁ କୁହାଯାଇଛି। ସେପଟେ ବିକ୍ଷୋଭକୁ ନଜରରେ ରଖି ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ୨୫ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସର ମୁତୟନ ହେବେ ବୋଲି ସୂଚନା ମିଳିଛି ।