ବିଚ୍ଛିନାଂଚଳର ଗର୍ଭଯନ୍ତ୍ରଣା : ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ନବଜାତକ ସହ ନଈକୂଳରେ ଅପେକ୍ଷା କଲା ମା’

47

ମାଲକାନଗିରି : ଦାନ ମାଝିଙ୍କ ଶବବୁହା ଚିତ୍ର ମନରୁ ନଲିଭୁଣୁ, ପୁଣି ଆସିଛି ଆଉ ଏକ ଲଜ୍ଜାର ଚିତ୍ର । ଏଥର ପାଳି ମାଲକାନଗିରିର । ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଜଣେ ମହିଳା ମାଆ ହେବାକୁ କେମିତି ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି, ତାର ଗୋଟି ଗୋଟି ଚିତ୍ର ଆମ କ୍ୟାମେରାରେ କଏଦ ହୋଇଛି । ଏ ଏମିତି ଏକ କାହାଣୀ, ଯାହା ଦେଖିଲେ ଆପଣ ବିଚଳିତ ହୋଇଯିବେ। ଏ ଏମିତି ଏକ ଘଟଣା ଯାହା ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାକୁ ଉପହାସ କରିବ।

malkangiriମୁଣ୍ଡ ଉପରେ ବାଦଲ୍ ଢଙ୍କା ଆକାଶର ବିବର୍ଣ୍ଣ ଚିତ୍ର ଓ ଆଖି ଆଗରେ ଆତଙ୍କର ପାଣି ନେଇ ଆଶା ଓ ଆଶଙ୍କାକୁ ବୁଜୁଳି କରି କୋକେଇରେ ବସିଛନ୍ତି ଜଣେ ମା’ । ପାହାନ୍ତି ପହରରେ ଝିଅଟିଏ ଜନ୍ମ ଦେଇଛନ୍ତି । ଆଉ ନବଜାତକଟି, ହେତୁ ନପାଈଥିଲେ ମଧ୍ୟ ଯେମିତି ବୁଝି ପାରିଥିଲା ମା’ର କରୁଣ କାନ୍ଦକୁ । ତେଣୁ ଜରି ପାଲ ଭିତରେ ଚୁପଚାପ୍ ସେମିତି ଶୋଇ ପଡିଥିଲା । କାରଣ ମା’ ଛଟପଟ ହେଉଥିଲା ଗର୍ଭଯନ୍ତ୍ରଣାରେ ।

vlcsnap-2016-08-29-20h09m56s340ଶିକ୍ଷାଠାରୁ ସଭ୍ୟତା ଠାରୁ ଖୁବ୍ ଦୂରରେ ଥିବା ଏ ମା’ ବି ଜାଣି ପାରୁ ନଥିଲେ ଯେ ସେ ଜାଆଁଳା ପିଲାର ମା’ ହେବାକୁ ଯାଉଛନ୍ତି । ତେବେ ଏହି ସମୟରେ ଦେବଦୂତ ସାଜିଥିଲେ ଦେବବ୍ରତ ସାନା । ଅନ୍ୟ ଏକ ଖବର ସଂଗ୍ରହ ପାଇଁ ବିଚ୍ଛିନ୍ନାଂଚଳରେ ପହଂଚିଥିବା କନକ ନ୍ୟୁଜ୍ ପ୍ରତିନିଧି, ସ୍ୱତନ୍ତ୍ର ଡଙ୍ଗାରେ ବସାଇ ଆସନ୍ନ ପ୍ରସବା ଓ ନବଜାତକଙ୍କୁ ନେଇଥିଲେ ନଈ ଏପାରିକୁ ।

vlcsnap-2016-08-29-20h10m46s831ତେବେ ଗୁରୁପ୍ରିୟା ନଈଳୂଳରେ ମାଳମାଳ ଫେରି ଡଙ୍ଗା ଓ ଆମ୍ବୁଲାନ୍ସ ବି ଛିଡା ହୋଇଥିଲା। ହେଲେ ଏସବୁକୁ ଯେମିତି ଉପହାସ କରିଥିଲେ ବିଚ୍ଛିନ୍ନାଂଚଳର ଏହି ମା’ । କାରଣ ଡଙ୍ଗା କି ବୋଟ୍ ନୁହେଁ ନଈଳୂଳରେ ଅକାମୀ ହୋଇ ପଡିଥିଲା ସରକାରୀ ଯୋଜନା । ତେବେ ଏତିକିରେ ସରି ନଥିଲା ଆମ ଦେବବ୍ରତଙ୍କ ଦାୟିତ୍ୱ । ଏକ ଗାଡି ଭଡା କରି ଆସନ୍ନ ପ୍ରସବାଙ୍କୁ ପହଂଚାଇଥିଲେ ଚିତ୍ରକୋଣ୍ଡା ମେଡିକାଲରେ ।

ତେବେ ଚିତ୍ରକୋଣ୍ଡାରେ ଗର୍ଭବତୀ ମା’ଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ମାଲକାନଗିରି ଅଣାଯାଇଥିଲା । ଆଉ ସେଠାରେ ସେ ପୁଣି ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।