ରିଓ ସ୍ୱପ୍ନ – ପାଦେ ତୁମର ପାଦେ ଓଡିଶାର

33

୫ ଅଗଷ୍ଟରୁ ୨୧ ଅଗଷ୍ଟ । ରିଓରେ କ୍ରୀଡା ଜଗତ ଦେଖିବ ବିଶ୍ୱର ସବୁଠାରୁ ବଡ ଇଭେଂଟ । ୨୮ଟି ବିଭାଗରେ ୩୦୬ଟି ଇଭେଂଟ । ୨୦୦ରୁ ଅଧିକ ଦେଶର ୧୦ ହଜାରରୁ ଅଧିକ ଆଥଲେଟ୍ । ୩୦୬ ସେଟରେ ମେଡାଲ ପାଇଁ ହେବ ପ୍ରତିଯୋଗୀତା । ମୈଦାନକୁ ଓହ୍ଲାଇବେ ସାରା ବିଶ୍ୱର ଶ୍ରେଷ୍ଠ ଖେଳାଳି । ସବୁଠାରୁ ବଡ ପ୍ରତୀଯୋଗୀତାରେ ସର୍ବଶ୍ରେଷ୍ଠ ହେବାକୁ ହେବ ଲଢେଇ । ଆଉ ଏହାରି ଭିତରେ ଓଡିଶାର ୬ ଖେଳାଳି ଦେଖାଇବେ ସେମାନଙ୍କ ଜଲୱା ।

ଦୌଡରାଣୀ ଦୂତି ଓ ସ୍ୱ୍ରିଂଟ କୁଇନ୍ ଶ୍ରାବଣୀ । ହକି ତାରକା ଲିଲିମା , ସୁନୀତା , ନମିତା ଓ ଦୀପଗ୍ରେସ୍ । ଏ ଛଅ ଝିଅଙ୍କ ସ୍ୱପ୍ନ , ବିଶ୍ୱ ଆକାଶରେ ତାରା ଭଳି ଚମକିବାକୁ । ଏମାନେ ଅଲିମ୍ପିକ୍ସରେ ଦେଶ ପାଇଁ ଖେଳିବେ । ଆଉ ଓଡିଶାକୁ ଚିହ୍ନାଇବେ ବିଶ୍ୱ ଦରବାରରେ ।

ଦୂତୀ ଓ ଶ୍ରାବଣୀ । ଜଣେ ଗରିବରୁ ଅତି ଗରିବ ଘରର ଝିଅ , ଅନ୍ୟଜଣେ ସାଧାରଣରୁ ଅତି ସାଧାରଣ ପରିବାରରେ ଜନ୍ମ । ଉଭୟେ ଦେଶର ସବୁଠାରୁ ଦ୍ରୂତତମ ଧାବିକା । କାରଣ ସମସ୍ତଙ୍କ ଆଶା ରିଓ ଅଲିମ୍ପିକ୍ସରେ ଏମାନେ ଦେଶ ପାଇଁ ଗୌରବ ଆଣିବେ । ଏଥିପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶସାରା ଏମାନଙ୍କ ଚର୍ଚ୍ଚା। ହେଲେ ବିଶ୍ୱବିଜେତା ହେବାର ଏ ବିରାଟ ସ୍ୱପ୍ନ ପାଇଁ ଏମାନଙ୍କୁ ଦରକାର ଆମ ସହଯୋଗ, ଓଡିଶାବାସୀଙ୍କ ସହଯୋଗ ।

ସେହିପରି ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଲିଲିମା, ସୁନୀତା, ନମିତା ଓ ଦୀପଗ୍ରେସ୍ । ମହିଳା ଭାରତୀୟ ଦଳର ଏମାନେ ଜଣେ ଜଣେ ଯୋଦ୍ଧା । ଯେଉଁମାନଙ୍କ ଆଖିରେ ଦେଶର ୧୨୭ କୋଟି ଜନତା ବିଶ୍ୱ ବିଜୟୀ ହେବାର ସ୍ୱପ୍ନ ଦେଖିଛନ୍ତି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଏହି ଝିଅ ମାନଙ୍କ ପାଦ ଷ୍ଟାଡିୟମରେ ପଡିଲେ , ଏମାନଙ୍କ ହକି ଷ୍ଟିକ୍ କମାଲ କରେ । ଆଉ ସାରା ବିଶ୍ୱ ଦେଖେ ଯାଦୁ । ହେଲେ ଏମାନଙ୍କ ଠିକଣା ଓଡିଶା ମାନଚିତ୍ରର ନିଖୋଜ ଅଧ୍ୟାୟ ଭଳି । ଏବେ ସମୟ ଆସିଛି ଅନ୍ତତଃ ଶୁଭେଚ୍ଛା ଓ ଶୁଭକାମନାରେ ନିଜକୁ ସୀମିତ କରି ନଦେଇ ସହଯୋଗର ହାତ ବଢାଇବା ।

ଜିତିବା ପାଇଁ ଯୋତା । ଏଥିପାଇଁ କନକ ନ୍ୟୁଜ୍ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ ରିଓ ସ୍ୱପ୍ନ – ପାଦେ ତୁମର, ପାଦେ ଓଡିଶାର । ଆସନ୍ତୁ ଅଭିଯାନରେ ସାମିଲ ହେବା , ଆଉ ରିଓ ସ୍ୱପ୍ନକୁ ସଫଳ କରିବା ।