କନକ ନ୍ୟୁଜର ରିଅଲିଟି ଚେକ୍ : ତୃତୀୟ ଦିନରେ ଅଗ୍ନିଶମ କର୍ମଚାରୀଙ୍କ ଧାରଣା । ଦିନରେ ଖରା ଓ ରାତିରେ କାକରରେ କଟୁଛି ଜୀବନ

37

କନକ ବ୍ୟୁରୋ : ସାରା ରାଜ୍ୟରେ ୬ ଦଫା ଦାବି ନେଇ ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ହଜାର କର୍ମଚାରୀ ଦିନ ରାତି ଆନ୍ଦୋଳନ ଜାରି ରଖିଛନ୍ତି । ସେଥିପାଇଁ ସାରା ରାଜ୍ୟରେ ଜରୁରୀକାଳୀନ ସେବା ଠପ୍ ହୋଇପଡିଛି । ଅସ୍ତରଙ୍ଗ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ନିଷ୍ଠାର ସହ ଆନ୍ଦୋଳନରେ ଅଛନ୍ତି । ଦିନରେ ଖରା ଓ ରାତିରେ କାକରରେ କଟୁଛି ତାଙ୍କର ଜୀବନ । ଘର ଭିତରକୁ ପଶୁନାହାଁନ୍ତି, ବାହାରେ ଯାହା କିଛି ରୋଷେଇ କରି ମିଳିମିଶି ଖାଉଛନ୍ତି । ରାତିରେ ଅଗ୍ନିଶମ ବିଭାଗର କିପରି ଚାଲିଛି ଆନ୍ଦୋଳନ ତାକୁ ନେଇ ରିଅଲିଟି ଚେକ୍ କରିଥିଲେ କନକ ନ୍ୟୁଜ୍ ପ୍ରତିନିଧି । ସେଠାରେ କର୍ମଚାରୀ ମାନେ ଦିନରେ ଖରା ଓ ରାତିରେ କାକର ସହି ଜାରି ରଖିଛନ୍ତି ଆନ୍ଦୋଳନ ।

ସୂଚନାଯୋଗ୍ୟ, ଗତ ସୋମବାର ଦିନ ଠାରୁୂ ଆନ୍ଦୋଳନରେ ଅଛନ୍ତି ସାରା ରାଜ୍ୟର ଅଗ୍ନିଶମ କର୍ମଚାରୀ । ରାଜ୍ୟରେ କାର‌୍ୟ୍ୟରତ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ କାର‌୍ୟ୍ୟବନ୍ଦ ଡାକରା ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୬ ଦଫା ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଦ୍ୱାରା ରାଜ୍ୟର ସମସ୍ତ ଫାୟାର ଷ୍ଟେସନ ଠପ୍ ରହିଛି । ଓଡିଶା ପୁଲିସ ମାନଙ୍କ ସହିତ ସମାନ ଦରମା, ଭତ୍ତା ପ୍ରଦାନ, ୮ ଘଂଟା ଡ୍ୟୁଟି ପ୍ରଦାନ ତଥା ନିଯୁକ୍ତି ଚାର୍ଟ ନିର୍ଘଣ୍ଟ, ଖାଲି ପଦବୀ ପୂରଣ କରିବା ଦାବି କରିଛନ୍ତି ଆନ୍ଦୋଳନରତ ଅଗ୍ନିଶମ କର୍ମଚାରୀ । କେବଳ ଏତିକି ନୁହେଁ ଠିକା ବ୍ୟବସ୍ଥା ଉଚ୍ଛେଦ, ସଂଘକୁ ସରକାରୀ ପଂଜୀକରଣ ମାନ୍ୟତା ପ୍ରଦାନ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ଭଳି ଦାବି ରହିଛି ।