ବିଦାୟୀ ବର୍ଷରେ ବଡ ବୟାନ ! ବିଜୟ ମହାପାତ୍ରଙ୍କ ୨୦୧୯ ଫର୍ମୁଲା, ଏପଟେ ଦାମ କହିଲେ ମୋ’ ପୁଅ ବି କାହା ପାଇଁ ହୋଇପାରେ କତୁରୀ ।

297

କନକ ବ୍ୟୁରୋ : ବିଦାୟୀ ବର୍ଷରେ କେଉଁମାନେ ଥିଲେ ଖବର ଶୀର୍ଷରେ । କେଉଁ ନେତା, କଳାକାର, ସାମାଜିକ କର୍ମୀ ତଥା କ୍ରୀଡା ବ୍ୟକ୍ତିତ୍ୱ ବର୍ଷ ତମାମ ଖବର ଉତ୍ସ ହୋଇ ରହିଥିଲେ ସେମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କନକ ନ୍ୟୁଜ ଓ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଥିଲା ନ୍ୟୁଜ ମେକର- ୨୦୧୮ । ସୋସିଆଲ ମିଡିଆରେ ଜନମତ ସଂଗ୍ରହ କରାଯାଇଥିଲା । ରାଜନୀତି କ୍ଷେତ୍ରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପସନ୍ଦର ନ୍ୟୁଜ ମେକର ଭାବେ ବାଛିଥିଲେ ଅନଲାଇନ୍ ଭୋଟର । ସେହିପରି ସାମାଜିକ କ୍ଷେତ୍ରରେ ଜୟନ୍ତ୍ରୀ ଏକ୍କା, କ୍ରୀଡା କ୍ଷେତ୍ରରେ ଧାବିକା ଦୂତି ଚାନ୍ଦ ଓ କଳା ଜଗତରୁ ହାସ୍ୟ ଅଭିନେତା ତଥା ନିର୍ଦ୍ଦେଶକ ପପୁ ପମପମଙ୍କୁ ବାଛିଛନ୍ତି ଦର୍ଶକ । ତେବେ ଏହି ଅବସରରେ ନ୍ୟୁଜ୍ ମେକରମାନେ ଯେଉଁ ବୟାନ ଦେଇଛନ୍ତି, ତାହା ପୁଣି ନ୍ୟୁଜର ଶିରୋନାମା ପାଲଟିଛି ।

ବିଦାୟୀ ବର୍ଷରେ ବଡ଼ ବୟାନ । ନ୍ୟୁଜ୍ ମେକର ଦେଲେ ବଡ଼ ନ୍ୟୁଜ୍ । ବର୍ଷ ୨୦୧୮ରେ ସବୁଠାରୁ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ଆଗାମୀ ରାଜନୈତିକ ନିଷ୍ପତି ଉପରେ ରହିଛି ସମସ୍ତଙ୍କ ନଜର । ଆଉ କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜୟ କହିଛନ୍ତି ୨୦୧୯ର ଫର୍ମୁଲା କଣ ହେବ ତାହା ଏବେଠୁ କହିବା ମୁସ୍କିଲ । ନବୀନ ନିବାସ ଓ କଂଗ୍ରେସ ଭବନ ବାହାରେ ମଧ୍ୟ ଅନେକ ଦିଗ ରହିଛି । ଏହି ପଦିଏ କଥାରୁ ୨୦୧୯ର ସମୀକରଣ, ଅନେକ ଦିଗ ସାମ୍ନାକୁ ଆଣିବାର ସଂକେତ ଦେଇଛି ।

ବିଜୟ ମହାପାତ୍ର ବିଜେପି ଛାଡିବା ଘଟଣା ୨୦୧୮ରେ ଯେତିକି ଚର୍ଚ୍ଚିତ ଥିଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ବିଜେଡିରୁ ବିଦା ହେବା ସେତିକି ଶିରୋନାମା ମଣ୍ଡନ କରିଥିଲା । ବର୍ଷ ୨୦୧୮ରେ ରାଜନୀତି କ୍ଷେତ୍ରରେ ଅନ୍ୟତମ ଚର୍ଚ୍ଚିତ ଚେହେରା ଦାମୋଦର ରାଉତ ବି କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମରେ ଭାଗ ନେଇ ବିସ୍ଫୋରକ ବୟାନ ରଖିଛନ୍ତି । କିଛି ଦିନ ତଳେ ବିଜେଡି ପ୍ରତିଷ୍ଠା ଦିବସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଛରେ ଦାମ ବାବୁଙ୍କ ପୁଅ ସମ୍ବିତ ରାଉତରାୟ ବସିଥିବା ଚିତ୍ର ଚର୍ଚ୍ଚା ପାଇଁ ଖୋରାକ ଯୋଗାଇ ଥିଲା । ଏହି ମର୍ମରେ ଦାମଙ୍କୁ ପ୍ରଶ୍ନବେଳେ ସେ କହିଛନ୍ତି ଯେ, ମୋତେ ଯେମିତି କତୁରୀ ମାରିଛନ୍ତି ମୋ ପୁଅ ସେମାନଙ୍କୁ କତୁରୀ ମାରିବ ବୋଲି କାହିଁକି ଭାବୁ ନାହାନ୍ତି । ଏପରିକି ୨୦୧୯ରେ ବିଜେଡିର ଅବସ୍ଥା ଛତିଶଗଡ ଭଳି ହେବ ବୋଲି ସେ ରାଜନୈତିକ ଭବିଷ୍ୟବାଣୀ କରିଛନ୍ତି ।

ସେହିପରି ମନୋରଞ୍ଜନ କ୍ଷେତ୍ରରେ ସବୁବେଳେ ମିଡିଆ ପାଇଁ ଖୋରାକ ଯୋଗାଇ ଆସିଛନ୍ତି ହାସ୍ୟ ଅଭିନେତା ପପୁ ପମପମ୍ । ଅଭିନୟ ଓ ବିବାଦ ସହ ବିଦାୟୀ ବର୍ଷରେ ନ୍ୟୁଜ ବନିଥିଲା ତାଙ୍କ ଅସୁସ୍ଥତା । ତେବେ ପୁଣି ସୁସ୍ଥ ହୋଇ ନିର୍ଦ୍ଦେଶକ ଭୂମିକାରେ ନଜର ଆସିଥିବା ପପୁ କନକ ନ୍ୟୁଜର ନ୍ୟୁଜ ମେକର୍ ପ୍ରତିଯୋଗିତାରେ ଦର୍ଶକଙ୍କ ମନ ଜିଣି ଶୀର୍ଷରେ ରହିଛନ୍ତି । ଆଉ କାର୍ଯ୍ୟକ୍ରମରେ ଯୋଗଦେଇ ଆଉ ରାଜନୀତି କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ଖବରକୁ ନେଇ ନୂଆ ନୂଆ ପ୍ରୟୋଗ କରୁଥିବା କନକ ନ୍ୟୁଜର ଖବର ପଛର ଚେହେରାଙ୍କୁ ସମ୍ମାନିତ କରିବାର ପ୍ରୟାସ । ଜୁରୀଙ୍କ ଦ୍ୱାରା ଚୟନ ପରେ ବଛା ବଛା ଚେହେରାଙ୍କୁ ନେଇ କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମ । କେଉଁ କ୍ଷେତ୍ରରେ କିଏ ଥିଲେ ପସନ୍ଦର ବ୍ୟକ୍ତିତ୍ୱ ଅନ ଲାଇନ୍ ଭୋଟିଂ ଜରିଆରେ ବାଛିଛନ୍ତି ଦର୍ଶକ ।