କନକ ନ୍ୟୁଜ ପ୍ରଭାବ ! ଏମ୍ସରେ ଆଉ ଲାଇନରେ ରହିବନି ପଥର, ଅପେକ୍ଷାରତ ରୋଗୀଙ୍କ ପାଇଁ ତିଆରି ହେବ ଅସ୍ଥାୟୀ ଆଶ୍ରୟ ସ୍ଥଳୀ

24

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସ ବାହାରେ ସାରା ରାତି ଅପେକ୍ଷା କରୁଥିବା ରୋଗୀଙ୍କ ସମସ୍ୟା ଦୂର ହେବ । ଖୁବଶୀଘ୍ର ରୋଗୀ ଏବଂ ସମ୍ପର୍କୀୟଙ୍କ ପାଇଁ ତିଆରି ହେବ ଅସ୍ଥାୟୀ ଆଶ୍ରୟସ୍ଥଳୀ । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ହେବା ପରେ ଏମ୍ସ କର୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି ।

aiimsରେଗୀଙ୍କ ବଦଳରେ ଲାଇନରେ ରହୁଛି ପଥର । କାରଣ ଲାଇନରେ ନ ରହିଲେ ଡାକ୍ତରଙ୍କ ସହ ସାକ୍ଷାତ କରିବା ମଧ୍ୟ ସ୍ୱପ୍ନ । ଏମ୍ସ ପରିସରରେ ପାଦ ଦେବା ମାତ୍ରେ ରୋଗୀଙ୍କ ପାଇଁ ଖରା, ବର୍ଷା ଓ ଶୀତ ସବୁ ସମାନ । ଏଭଳି ଦୃଶ୍ୟ ଅନେକ ଦିନ ଧରି ଏମ୍ସ ପରିସରରେ ଦେଖିବାକୁ ମିଳୁଥିଲା । ରୋଗୀଙ୍କ ଏଭଳି ସମସ୍ୟା ଉପରେ ପ୍ରଥମେ କନକ ନ୍ୟୁଜ ଖବର ପ୍ରସାରଣ କରିଥିଲା । କିନ୍ତୁ ଖୁବଶୀଘ୍ର ଏହାର ସମାଧାନ ହେବାକୁ ଯାଉଛି । କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ୍କୁ ଆସିଯାଇଛନ୍ତି ଏମ୍ସ କର୍ତୃପକ୍ଷ । କନକ ନ୍ୟୁଜ୍ ସମ୍ପାଦକଙ୍କୁ ଚିଠି ଲେଖି ରୋଗୀଙ୍କ ପାଇଁ କଣ ପଦକ୍ଷେପ ନିଆଯାଉଛି ସେନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ।

– ଖୁବଶୀଘ୍ର ରୋଗୀ ଏବଂ ସମ୍ପର୍କୀୟଙ୍କ ପାଇଁ ତିଆରି ହେବ ରାତ୍ର ଆଶ୍ରୟ ସ୍ଥଳୀ ।
– ୫ ଶହ ରୋଗୀ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ଧର୍ମଶାଳା କରିବାକୁ ଯୋଜନା କରାଯାଉଛି ।
– ଏନେଇ ନାଲକୋ ସହ କଥାବାର୍ତା ସରିଛି ଏବଂ ନାଲକୋ ଧର୍ମଶାଳା କରିବାକୁ ସହମତ ହୋଇଛି ।
– ତେବେ ପୁରା ପ୍ରକ୍ରିୟା ପାଇଁ ସମୟ ଲାଗୁଥିବାରୁ ବର୍ତମାନ ଏମ୍ସ ପରିସରରେ ଏକ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ତିଆରି ହେବ ।
– ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ ମାସକ ମଧ୍ୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇଯିବ ।

ସାଧାରଣତଃ ଏମ୍ସରେ ସ୍ୱଳ୍ପ ଖର୍ଚ୍ଚରେ ଚିକିତ୍ସା ହୋଇ ପାରୁଥିବାରୁ ଗାଁ ଗହଳିରୁ ଅନେକ ଲୋକ ରୋଗ ଦେଖାଇବାକୁ ଆସିଥାନ୍ତି । କିନ୍ତୁ ପୂର୍ବରୁ ରୋଗ ଦେଖାଇବା ପାଇଁ ଆସିଥିବା ରୋଗୀ ଓ ସର୍ମ୍ପକୀୟ ମାନେ ଏମ୍ସ ପରିସରରେ ଶୀତୁଆ ରାତିରେ ଚଟାଣରେ ଶୋଇ ରହୁଥିଲେ । ଶୀତ, କାକରରେ କଟୁଥିଲା ସାରା ରାତି । ଚିକିତ୍ସା ପାଇଁ ଦୂରଦୁରାନ୍ତରୁ ଶହ ଶହ ରୋଗୀ ଏବଂ ସମ୍ପର୍କୀୟ ଘଂଟା ଘଂଟା ଧରି ଲାଇନ୍ ଲଗାଉଥିଲେ । ଆଉ ଗୁରୁତର ରୋଗୀଙ୍କ ପାଇଁ ସାହାରା ସାଜୁଥିଲା ପଥର । ଶହେ ମିଟର ଯାଏଁ ପଛକୁ ପଛ ପଥର ରଖି ଅପେକ୍ଷା କରିଥାନ୍ତି ସକାଳକୁ । ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଭୁବନେଶ୍ୱରର ଏଦୃଶ୍ୟ ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷର । ରୋଗୀ ଏବଂ ସମ୍ପର୍କୀୟଙ୍କ ଏହି ଯନ୍ତ୍ରଣାକୁ ପ୍ରଥମେ ସାମ୍ନାକୁ ଆଣିଥିଲା କନକ ନ୍ୟୁଜ୍ । ଯାହାପରେ ତତ୍ପର ହୋଇଉଠିଛନ୍ତି ଏମ୍ସ କର୍ତୃପକ୍ଷ ।