କନକ ନ୍ୟୁଜର ପିସି ବିରୁଦ୍ଧରେ କ୍ୟାମ୍ପେନ : ପୁଣି ଆସିଲା ଲାଂଚ ଦେଇ ଘର ପାଇବାର ଘଟଣା

44

କନକ ବ୍ୟୁରୋ : କମିଶନ ନଦେଲେ କାମ ହେଉନି । ବ୍ଲକସ୍ତରରେ କିଭଳି ଚାଲିଛି ପର୍ସେଂଟେଜ୍ କାରବାର, ଗ୍ରାଉଣ୍ଡ ଜିରୋରେ ତାର ସ୍ଥିତି ପରଖିଛି କନକ ନ୍ୟୁଜ୍ । ବିଶେଷ କରି ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର କରାଇ ଦେବାକୁ କିଭଳି ସରକାରୀ ବାବୁ ଓ ପଂଚାୟତ ସ୍ତରର ନେତା ପର୍ସେଂଟେଜ୍ ଦାବି କରୁଛନ୍ତି ସେନେଇ ସାରା ଓଡ଼ିଶାରୁ ସ୍ୱର ଉଠିିବାରେ ଲାଗିଛି । କେଉଁଠି ୭୦ ହଜାର ଟଙ୍କା ପାଇଁ ୧୦ ହଜାର ଟଙ୍କା ଲାଂଚ ଦେବାକୁ ପଡୁଛି ତ ଆଉ କେଉଁଠି ୧୫ରୁ ୧୭ ହଜାର । ସରକାରୀ ଯୋଜନାର ଲାଭ ପାଇବାକୁ ହିତାଧିକାରୀ କିଭଳି ସରକାରୀ କଳର ଶୋଷଣର ଶିକାର ହେଉଛନ୍ତି, ତାକୁ ନେଇ ଆମର ଏହି ଅନୁସନ୍ଧାନମୂଳକ ରିପୋର୍ଟ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ, ମୂଳାଗଡ ଗାଁର ପ୍ରତାପ କାଣ୍ଡିଙ୍କ ନାଁରେ ଯୋଗାଇ ଦିଆଯାଇଛି ଇନ୍ଦିରା ଆବାସ ଘର । ସରକାରୀ ସହାୟତା ୭୦ ହଜାର ଟଙ୍କାରେ ହିତାଧିକାରୀ ତିଆରି କରିଛନ୍ତି ଛାତ ଘର । ହେଲେ ଏହି ଘର ତାଙ୍କୁ ମାଗଣାରେ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ପଲ୍ଲିସଭାରେ ତାଙ୍କ ନାଁ ଚୂଡାନ୍ତ ହେବାପରେ ୱାର୍କ ଅର୍ଡର ପାଇଁ ସ୍ଥାନୀୟ ସରପଂଚ ଓ ୱାର୍ଡମେମ୍ବର ମାଗିଥିଲେ ୧୦ ହଜାର ଟଙ୍କା । ଆଉ କଥାବାର୍ତ୍ତା କରି ୩ ହଜାର ଟଙ୍କାରେ କଥା ଛିଡିବା ପରେ ୨ ହଜାର ଟଙ୍କା ଦେଇ ଇନ୍ଦିରା ଆବାସ ପାଇଁ ୱାର୍କ ଅର୍ଡର ଆଣିଥିଲେ ।

ଜିଲ୍ଲାପାଳ ସମ୍ମିଳନୀରେ ପିସି କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ବ୍ଲକସ୍ତରରେ କେମିତି ଚାଲେ ପର୍ସେଂଟେଜ କାରବାର ତାର ଖୁଲାସା କରିବାକୁ ପ୍ରୟାସ ଜାରି ରଖିିଛି । ଆଉ ଟିଭି କ୍ୟାମେରା ଦେଖି ବର୍ଷବର୍ଷ ଧରି ହନ୍ତସନ୍ତ ହେଉଥିବା ହିତାଧିକାରୀ ରଖିଛନ୍ତି ପ୍ରତିକ୍ରିୟା । ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ଖଣ୍ଡିଏ ଦେବାକୁ କେମିତି ଟଙ୍କା ମାଗନ୍ତି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସେନେଇ ମୁହଁ ଖୋଲିଛନ୍ତି ।

ଟଙ୍କା ଦେବା ପରେ ବି ହିତାଧିକାରୀଙ୍କୁ ନାକେଦମ ହେବାକୁ ପଡୁଛି । ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ପାଇଁ କିସ୍ତିରେ ଟଙ୍କା ମିଳୁଥିବାରୁ ପ୍ରତିଥର ସରକାରୀ ବାବୁ ଅଥବା ସ୍ଥାନୀୟ ନେତାଙ୍କ ଗୋଡ ଧରିବାକୁ ପଡୁଛି । ଆଉ ନିଜେ ଘର କରିପାରୁନଥିବା ଲୋକେ ଠିକାଦାରଙ୍କୁ ଧରି ଆହୁରି ହିନସ୍ତା ହେଉଛନ୍ତି ।

ଉପକୂଳରୁ ଉପାନ୍ତ ସବୁଠି ସମାନ ଅବସ୍ଥା । ବାସହୀନଙ୍କୁ ଛାତଘର ଟିଏ ଯୋଗାଇ ଦେବାକୁ ସରକାର ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଭଳି ଯୋଜନାମାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ବି ହେଉଛି । ହେଲେ ପଂଚାୟତ ସ୍ତରରେ ଚାଲିଥିବା ପିସି କାରବାରରେ ହିତାଧିକାରୀଙ୍କ ଟଙ୍କା ହରିଲୁଟ୍ ହେଉଛି ।