ବିଜେପୁର ଉପନିର୍ବାଚନ ପୂର୍ବରୁ କନକ ନ୍ୟୁଜ-ସମ୍ବାଦର ଜନମତ ସର୍ଭେ ! ଲୋକେ କହିଲେ, ଅର୍ଥବଳର ରହିବ ପ୍ରଭାବ । ବିକାଶ ମୁଖ୍ୟ ମୁଦ୍ଦା, କାମ କରିବନି ଅନୁକମ୍ପା

135

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନ ଏକ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି । କୁହାଯାଉଛି ଏହା ନବୀନ ଓ ଧର୍ମେନ୍ଦ୍ର ଲଢେଇର ସେମିଫାଇନାଲ । ପତିଆରା ଓ ପ୍ରସଙ୍ଗର ରାଜନୀତିରେ କଣ କହୁଛନ୍ତି ଜନତା । ତାହା ଜାଣିବା ପାଇଁ କନକ ନ୍ୟୁଜ ଓ ସମ୍ବାଦ ଆରମ୍ଭ କରିଥିଲା ଜନମତ ସର୍ଭେ । ବିଜେପୁରର ତିନିଟି ପଂଚାୟତରେ ୨୦୪ଟି ବୁଥରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲା ଆମ ଟିମ୍ । ନେତା ନୀତି ଓ ନିର୍ବାଚନକୁ ନେଇ ଜନତା ରଖିଥିଲେ ଜବାବ । ଆସନ୍ତୁ ଜାଣିବା ବିଜେପୁର ଉପନିର୍ବାଚନ ପୂର୍ବରୁ କଣ କହୁଛି ଜନମତ ସର୍ଭେର ଏହି ରିପୋର୍ଟ ।

prepollଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ କନକ ନ୍ୟୁଜ ଓ ସମ୍ବାଦ ବିଜେପୁରର ରାଜନୈତିକ ପାଣିପାଗକୁ ପରଖିବା ପାଇଁ ଆରମ୍ଭ କରିଥିଲା ସବୁଠୁ ବଡ ପ୍ରୟାସ । ପ୍ରଥମେ ଆମେ ଜାଣିବା ପାଇଁ ଚାହିଁଥିଲୁ କେଉଁ ସବୁ ପ୍ରସଙ୍ଗ ବିଜେପୁରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ? ପ୍ରଶ୍ନଥିଲା ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ କଣ ହେବ? ନିଜ ଅଂଚଳର ବିକାଶକୁ ଗୁରୁତ୍ୱ ଦେଇଥିଲେ ୫୬% ମତଦାତା । ସେହିପରି ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରମୁଖ ପ୍ରସଙ୍ଗ ବୋଲି କହିଥିଲେ ୨୩% ଲୋକ । ଏସବୁ ଭିତରେ ନେତୃତ୍ୱକୁ ୫% ଓ ପ୍ରାର୍ଥୀଙ୍କ ଭାବମୂର୍ତିକୁ ୫% ଜନତା ଗୁରୁତ୍ୱ ଦେଇଥିଲେ । ସେପଟେ ବିଜେପୁରରେ ଅନୁକମ୍ପା ଭୋଟ୍ ସବୁଠାରୁ ବଡ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନୁକମ୍ପା ସପକ୍ଷରେ ମାତ୍ର ୪% ଲୋକ ମତ ରଖିଥିଲେ ଓ ଅନ୍ୟାନ୍ୟ ପ୍ରସଙ୍ଗ ୭% ଭୂମିକା ନେଇ ପାରେ ବୋଲି ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି ।

prepollଆମର ଦ୍ୱିତୀୟ ପ୍ରଶ୍ନ ଥିଲା ବିଜେପୁରରେ ଟଙ୍କାବଳର ପ୍ରଭାବ ପଡିବ କି? ଅର୍ଥବଳ ପ୍ରଭାବ ପକାଇବ ବୋଲି ମତ ରଖିଛନ୍ତି ୬୬% ଲୋକ । ମାତ୍ର ୨୪% ଲୋକ ଅର୍ଥବଳର ପ୍ରଭାବ ପଡିବ ନାହିଁ କହିଥିବା ବେଳେ ୧୦% ମତଦାତା କୌଣସି ମତ ରଖିନାହାଁନ୍ତି । ଅର୍ଥାତ ବିଜେପୁର ଉପନିର୍ବାଚନରେ ଟଙ୍କାର ଖେଳ ବଡଧରଣର ପ୍ରଭାବ ପକାଇବ ବୋଲି ଲୋକଙ୍କ ବିଶ୍ୱାସ ।

ବିଜେପୁର ଉପନିର୍ବାଚନ ପୂର୍ବରୁ ଦଳ ବଦଳର ସବୁଠୁ ବଡ ରାଜନୈତିକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଛନ୍ଦି ହୋଇଛନ୍ତି ତିନି ପ୍ରମୁଖ ରାଜନୈତି ଦଳ ବିଜେଡି,ବିଜେପି ଓ କଂଗ୍ରେସ । ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ବେଳେ ପୂର୍ବତନ ବିଜେଡି ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି । ଆମେ ଜାଣିବା ପାଇଁ ଚାହିଁଥିଲୁ ଦଳବଦଳକୁ ନେଇ ଲୋକଙ୍କ ବିଚାର କଣ? ୪୧% ମତଦାତା କହିଥିଲେ ଏହା ସୁବିଧାବାଦ ରାଜନୀତି । ୨୩% ଲୋକ ଏହାକୁ ରାଜନୀତିର ଏକ ସାଧାରଣ ଘଟଣା ବୋଲି କହିଥିଲେ । ୬% ମତଦାତା ଏହାକୁ ବାଧ୍ୟବାଧକତା କହିଥିବା ବେଳେ ୩୦% ଲୋକ କୌଣସି ମତ ରଖିନାହାଁନ୍ତି ।

prepollଦଳବଦଳକୁ ନେଇ ଜନତାଙ୍କ ଭିନ୍ନ ଭି୍ନ୍ନ ମତ ପରେ ଆମେ ଜାଣିବା ପାଇଁ ଚାହିଁଥିଲୁ ନିର୍ବାଚନରେ ଦଳବଦଳର ପ୍ରଭାବ ପଡିବ କି? ୬୭% ପ୍ରତିଶତ ଲୋକ ଏହାର ଏକ ବଡ ପ୍ରଭାବ ନେଇ ମତ ରଖିଥିବା ବେଳେ ୨୫% ଲୋକ ଦଳବଦଳର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବ ନାହିଁ ବୋଲି କହିଥିଲେ । ତେବେ ୮% ଲୋକ ଏ ଦିଗରେ କୌଣସି ମତ ରଖିନାହଁନ୍ତି ।

ବିଜେପୁରର ୨୦୪ଟି ବୁଥରୁ ୨ହଜାର ସାମ୍ପୁଲ ସଂଗ୍ରହ କରିବା ପରେ ପ୍ରସ୍ତୁତ ହୋଇଛି ସବୁଠୁ ବଡ ପ୍ରି-ପୋଲ ରିପୋର୍ଟ । ଆଉ ନେତା ନୀତି ଓ ରାଜନୀତି ଭିତରେ ସାମ୍ନାକୁ ଆସିଛି ଜନତାଙ୍କ ମତ । ତେବେ ଏସବୁ ଭିତରେ ଏବେ ସମସ୍ତଙ୍କ ନଜର ରହିଛି ବିଜେପୁର ନିର୍ବାଚନ ଉପରେ । ପତିଆରାର ଲଢେଇରେ କିଏ ବାଜି ମାରୁଛି ତାହା ଦେଖିବା ବାକି ରହିଲା ।