କନିଷ୍ଠଙ୍କ ଉପରେ ଭାରି ପଡିଲେ ବରିଷ୍ଠ ! ମଧ୍ୟପ୍ରଦେଶରେ କମଳନାଥ ଓ ରାଜସ୍ଥାନରେ ଗେହଲଟଙ୍କ ନାଁରେ ରାହୁଲ ମୋହର ମାରିଥିବା ସୂଚନା, ଔପଚାରିକ ଘୋଷଣାକୁ ଅପେକ୍ଷା

263

କନକ ବ୍ୟୁରୋ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କମଳନାଥ । କମଳନାଥଙ୍କ ନାଁ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିଥିବା ସୂଚନା ମିଳିଛି । ସନ୍ଧ୍ୟାରେ ଭୋପାଳରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ କମଳନାଥଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇପାରେ ବୋଲ ଜଣାପଡିଛି । ଏହି ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଲାଗିରହିଥିବା ବିବାଦ ସମାଧାନ ହୋଇଯିବ ।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ଆସନ ପାଇଥିବାବେଳେ ବିଜେପି ୧୦୯ଟି ଆସନରେ ବିଜୟୀ ହୋଇଛି । ତେବେ ସରକାର ଗଢ଼ିବାକୁ ଆବଶ୍ୟକ ହେଉଥିବା ମ୍ୟାଜିକ ନମ୍ବର ୧୧୬ ଛୁଇଁବା ପାଇଁ ବିଏସପିର ୨, ସମାଜବାଦୀ ପାର୍ଟିର ଜଣେ ଓ ୪ ସ୍ୱାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି । ତେଣୁ ନିର୍ବାଚନ ଫଳାଫଳ ଆସିବା ପରେ ସରକାର ଗଢ଼ିବାକୁ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ଭେଟି ୧୨୧ଜଣଙ୍କ ତାଲିକା ପ୍ରଦାନ କରିଥିଲେ କମଳାନାଥ ଓ ଅନ୍ୟ ପ୍ରତିନିଧି ।

ସେହିଭଳି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଅଶୋକ ଗେହଲଟ । ଗେହଲଟଙ୍କ ନାଁରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିଥିବା ଜଣାପଡିଛି । ତେବେ ସନ୍ଧ୍ୟାରେ ବସିବାକୁ ଥବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନାଁ ଚୁଡାନ୍ତ ଘୋଷଣା ହେବ । ଗେହଲଟଙ୍କ ନାଁରେ ମୋହର ମାରିବା ପୂର୍ବରୁ ରାହୁଲଙ୍କ ବାସଭବନରେ ପ୍ରଥମେ ରାଜସ୍ଥାନର ପର୍ଯ୍ୟବେକ୍ଷକ, ପ୍ରଭାରୀଙ୍କ ସହ ନିର୍ବାଚିତ ବିଧାୟକଙ୍କ ରାୟ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ତାପରେ ଅଲଗା ଅଲଗା ସଚିନ ପାଇଲଟ୍ ଓ ଅଶୋକ ଗେହଲଟଙ୍କ ସହ ଆଲୋଚନା କରିଥିଲେ । ଆଉ ଏହାପରେ ରାହୁଲ ଏହି ନିଷ୍ପତି ନେଇଥିବା ଜଣାପଡିଛି ।

ତେବେ ସଚିନଙ୍କ ସମର୍ଥକମାନଙ୍କୁ ବୁଝାଇବା ପାଇଁ ଉଦ୍ୟମ ଚାଲିଥିବା କୁହାଯାଉଛି । ରାହୁଲଙ୍କ ସହ ଆଲୋଚନା ପରେ ଉଭୟ ଗେହଲଟ ଓ ସଚିନ୍ ପାଇଲଟ୍ ଜୟପୁର ଫେରିଛନ୍ତି । ନିର୍ବାଚନ ଜିତିବା ପରେ ଦୁଇ ଦିନ ହେଲା କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । କିଛି ବିଧାୟକ ସଚିନଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ଗେହଲଟଙ୍କ ସମର୍ଥନ କରିଥିଲେ ।