ବୀର ଯବାନଙ୍କ ଗାଁ କମଳାପୁର ! ଭାରତୀୟ ସେନାରେ ସବୁ ଘରର ପୁଅ

117

କନକ ବ୍ୟୁରୋ : ସହିଦଙ୍କ ଗାଁ କମଳାପୁର । ବ୍ରହ୍ମପୁର ଉପକଂଠରେ ଥିବା ଏହି ଗାଁରେ ଘରେ ଘରେ ଅଛନ୍ତି ସେନା ଯବାନ । ପିଢୀ ପରେ ପିଢୀ ଭାରତୀୟ ସେନାର ତିନି ବାହିନୀରେ ଯୋଗ ଦେଇଛନ୍ତି ଏହି ଗାଁର ଯୁବକ । ପର୍ଯ୍ୟାୟକ୍ରମେ ଗାଁରୁ ୧୪ଜଣ ଯବାନ ସହୀଦ ହୋଇଥିଲେ ବି ଦେଶ ମାତୃକାର ସେବା କରିବାକୁ ପଛାଇ ନାହାନ୍ତି । ବରଂ ସେମାନଙ୍କ ବଳିଦାନ ପାଇଁ ଗର୍ବ କରୁଛନ୍ତି ପରିବାର ସଦସ୍ୟ । ସ୍ୱାଧୀନତା ଦିବସ ଅବସରରେ ଦେଖନ୍ତୁ କମଳାପୁରରୁ କନକ ନ୍ୟୁଜର ସ୍ପେଶାଲ ରିପୋର୍ଟ ।

ଏମ. ଗେପିନାଥ । ନିଜେ ଭାରତୀୟ ସେନାରେ ୩୦ ବର୍ଷ କାମ କରିଥିଲେ । ପରେ ତାଙ୍କ ଦୁଇପୁଅ ମଧ୍ୟ ଦେଶ ମାତୃକାର ସେବା କରିବାକୁ ସେନାରେ ସାମିଲ୍ ହେଲେ । ଏବେ ତାଙ୍କ ନାତି ମଧ୍ୟ ଯୋଗ ଦେଇଛନ୍ତି ବାୟୁ ସେନାରେ । ୧୯୯୮ ମସିହାରେ ତାଙ୍କ ସାନ ପୁଅ ଏମ. କ୍ରିଷ୍ଣା ରାଓ ଲେଲଦାଖରେ ଉଗ୍ରବାଦୀଙ୍କୁ ସାମ୍ନା କରି ସହୀଦ ହୋଇଥିଲେ । ତଥାପି ପରିବାର ଲୋକଙ୍କ ମନରେ ନାହିଁ ଭୟ । ବରଂ ଦେଶ ପାଇଁ ଜୀବନ ଦେଇଥିବାରୁ ତାଙ୍କ ଛାତି କୁଣ୍ଢେମୋଟ ହୋଇଉଠୁଥିବା କହିଛନ୍ତି ।

ସେହି କମଳାପୁର ଗାଁର ଆଉଜଣେ ଯବାନ ଏ. ଗୋବିନ୍ଦ ରାଓ । ଶ୍ରୀନଗରରେ ଉଗ୍ରବାଦୀଙ୍କ ଗୁଳିରେ ୧୯୯୬ରେ ସହୀଦ ହୋଇଥିଲେ । ହିଜବୁଲ ମୁଜାହିଦିନ କମାଣ୍ଡର ସେର ଖାନକୁ ମାରି ନିଜେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ । ହେଲେ ଏବେ ବାପା ଯେଉଁ ସ୍ଥାନରେ ସହୀଦ ହୋଇଥିଲେ ସେହି ସ୍ଥାନରେ କାମ କରୁଛନ୍ତି ପୁଅ ।

ଦେଶ ମାତୃକାର ସେବା କରିବା ପାଇଁ ଗୋଟିଏ ଗାଁ ସତେ ଯେମିତି ଉତ୍ସର୍ଗୀକୃତ । ଏଠାକାର ଲୋକେ ନିଜ ଜୀବନକୁ ପାଣି ଛଡାଇ ସେନାରେ ଯୋଗ ଦେବାକୁ ପସନ୍ଦ କରନ୍ତି । ନିଜ ସୁଖ ସୁବିଧାକୁ ପଛରେ ପକାଇ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆଗେଇ ଆସନ୍ତି । ଅନେକ ଲୋକ ସେନାରୁ ଅବସର ନେଇସାରିଥିବାବେଳେ ଏବେ ବି ଅନେକ ଯୁବକ ଭାରତୀୟ ସେନାରେ କାମ କରୁଛନ୍ତି ।