ମଧ୍ୟପ୍ରଦେଶ ସରକାରଙ୍କ ୟୁଟର୍ଣ୍ଣ : କହିଲେ, ପୁଲିସ ବ୍ୟାଣ୍ଡ ସହ ଗାନ କରାଯିବ ବନ୍ଦେ ମାତରମ

232

କମଲନାଥ ସରକାରଙ୍କ ୟୁଟର୍ଣ୍ଣ । ମଧ୍ୟପ୍ରଦେଶ ସରକାର ସଚିବାଳୟରେ ବନ୍ଦେମାତରମ ଉପରେ ଅସ୍ଥାୟୀ ରୋକ ଲଗାଇବା ପରେ ଏବେ ୟୁଟର୍ଣ୍ଣ ନେଇଛନ୍ତି । ବିରୋଧୀଙ୍କ ସମାଲୋଚନା ପରେ କମଲନାଥ ନିଜ ନିଷ୍ପତ୍ତିରୁ ଓହରିଛନ୍ତି । କମଲନାଥ ସରକାର ଏବେ ବନ୍ଦମାତରମ ଗାନକୁ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରତି ମାସର ପ୍ରଥମ କାର୍ଯ୍ୟ ଦିବସରେ ପୁଲିସ ବ୍ୟାଣ୍ଡ ସହ ବନ୍ଦେମାତରମ ବୋଲାଯିବ ଓ ଏଥିରେ ସାଧାରଣ ଜନତା ମଧ୍ୟ ସାମିଲ ହେବେ । ସଚିବାଳୟରେ ବହୁ ବର୍ଷ ଧରି ଚାଲିଆସୁଥିବା ଏହି ପରଂପରା ଅଚାନକ ବଦଳିଯାଇଥିଲା । ନୂଆବର୍ଷରେ ମଧ୍ୟପ୍ରଦେଶ ସଚିବାଳୟରେ ବନ୍ଦେ ମାତରମ ଗୀତ ନବାଜିବାରୁ ବିଜେପି କଡା ବିରୋଧ କରିଥିଲା ।

ବନ୍ଦେ ମାତରମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବନ୍ଦେ ମାତରମ ଗୀତକୁ ଅସ୍ଥାୟୀ ଭାବେ ରୋକ ଲଗାଇବା ପରେ ସେ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଥିଲେ । ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ ଟାର୍ଗେଟ କରିଛନ୍ତି, ସେ କହିଛନ୍ତି ଜାନୁଆରୀ ୭ରେ ଭୋପାଲ ସ୍ଥିତ ସଚିବାଳୟରେ ବିଜେପିର ୧୦୯ ଜଣ ବିଧାୟକ ବନ୍ଦେ ମାତରମ ଗୀତ ଗାନ କରିବେ ।

ସୂଚନା ଅନୁସାରେ ନୂତନ ବର୍ଷ ଆରମ୍ଭ ହେବାର ପ୍ରଥମ ଦିନରେ ସଚିବାଳୟରେ ରାଷ୍ଟ୍ରୀୟ ଗୀତ ଗାନ କରାଯାଇନଥିଲା । ଯାହାକୁ ନେଇ ବିଜେପି ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିରୋଧୀଙ୍କ କହିବା ଅନୁସାରେ ସଚିବାଳୟରେ କ’ଣ ପାଇଁ ନିୟମ ବଦଳାଗଲା । କାରଣ ସଚିବାଳୟରେ ଆଗରୁ ବନ୍ଦେ ମାତରମ ଗୀତ ଗାନ କରାଯାଉଥିଲା । ଆଗରୁ ଚାଲୁଥିବା ନିୟମକୁ କ’ଣ ପାଇଁ ସରକାର ବଦଳାଇଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଶିବରାଜ ସିଂ ଟ୍ୱିଟ ମାଧ୍ୟମରେ ମଧ୍ୟ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ଆଜି ଭୋପାଲ ସ୍ଥିତ ସଚିବାଳୟରେ ବାହାରେ ବିଜେପି କର୍ମୀମାନେ କମଲନାଥଙ୍କ ବିରୋଧରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ।