ମଧ୍ୟପ୍ରଦେଶରେ ଝୁଲା ବିଧାନସଭା: ୧୧୪ ଆସନ ସହ କଂଗ୍ରେସ ସବୁଠାରୁ ବଡ ଦଳ, ରାତି ଅଧରେ ପ୍ରେସ୍ କନଫରେନ୍ସ କରି ସରକାର ଗଠନ ପାଇଁ ଦାବି କଲେ କମଳନାଥ

ରାଜ୍ୟପାଳଙ୍କ ଉପରେ ନଜର

290

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ନିର୍ବାଚନର ଫଳାଫଳ ବିଜେପିକୁ ନିରାଶ କରିଛି । ଅନ୍ୟପଟେ କଂଗ୍ରେସ ଶିବିରରେ ଉତ୍ସାହ ଭରିଦେଇଛି । ଛତିଶଗଡ଼, ରାଜସ୍ଥାନରେ ବିଜେପି ହାତରୁ ଶାସନ ଛଡ଼ାଇ ନେବାରେ କଂଗ୍ରେସ ସଫଳ ହୋଇଛି । ହେଲେ ମଧ୍ୟପ୍ରଦେଶରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିପାରି ନାହିଁ । ମଧ୍ୟପ୍ରଦେଶରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି କଂଗ୍ରେସ ।

ଶେଷ ଫଳାଫଳ ସୁଧା ମଧ୍ୟପ୍ରଦେଶରେ ୧୧୪ଟି ଆସନ ସହ କଂଗ୍ରେସ ଆଗୁଆ ରହିଛି । ବିଜେପି ଖାତାକୁ ଯାଇଛି ୧୦୯ ଟି ଆସନ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ କଂଗ୍ରେସର ଜିତାପଟ ପରେ ଦଳୀୟକର୍ମୀଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଥିଲା । କଂଗ୍ରେସ କାର୍ଯ୍ୟାଳୟ ବାହାରେ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି ।

 

ସେପଟେ, ବିପୁଳ ସମର୍ଥନ କରିଥିବାରୁ ମଧ୍ୟପ୍ରଦେଶର କଂଗ୍ରେସ ସଭାପତି କମଳନାଥ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବଂ ସରକାର ଗଢ଼଼ିବାକୁ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ସମୟ ମାଗିଥିଲେ । ତେବେ ଅନ୍ତିମ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ରାଜ୍ୟପାଳ ବି.ଡି ଶର୍ମା । ରାଜ୍ୟପାଳ କହିଛନ୍ତି, ନିର୍ବାଚନ କମିଶନର ଫଳାଫଳ ନେଇ ବିଦ୍ଧିବଦ୍ଧ ଘୋଷଣା ନକରିବା ପର୍ଯ୍ୟନ୍ତ ସେ କୌଣସି ନିଷ୍ପତି ନେବେ ନାହିଁ ।

Source:india.com

ମଧ୍ୟପ୍ରଦେଶରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୧୬ ହୋଇଥିବାବେଳେ କଂଗ୍ରେସ ୧୧୪ଟି ଆସନ ଦଖଲ କରିବାକୁ ଯାଉଛି । ଆଉ ଆବଶ୍ୟକ ୨ଟି ଆସନ । ସେପଟେ ବହୁଜନସମାଜବାଦୀ ପାର୍ଟି ୨ଟି ଆସନ ପାଇଥିବାରୁ ସେ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଆଶା କରାଯାଉଛି । ସେହିପରି ଅଖିଳେଶଙ୍କ ସପା ଗୋଟିଏ ଆସନ ପାଇଥିବାରୁ ସେ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି । ତେଣୁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।

Comments are closed.