ସତର୍କ ହେଲେ ସରକାର ! ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲାସ୍ତରରେ ସବୁ ଅଫିସରଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

40

କନକ ବ୍ୟୁରୋ : ରାୟଗଡା ଜିଲ୍ଲା କଲ୍ୟାଣସିଂପୁରରେ ବନ୍ୟା ପରିସ୍ଥିତି ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ପୁରା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ନାଗାବଳୀ ଓ କଲ୍ୟାଣୀ ନଦୀରେ ବନ୍ୟା ଆସିଥିବାରୁ ଲୋକଙ୍କୁ ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ସିଆରପିଏଫ, ଓଡ୍ରାଫ, ବାୟୁସେନା ଓ ନୌସେନାକୁ ନିୟୋଜିତ କରାଯାଇଛି । ୪ଟି ବାୟୁସେନା ହେଲିକପ୍ଟର ଯୋଗାଇ ଦେବାପାଇଁ କେନ୍ଦ୍ରକୁ ଯୋଗାଯୋଗ କରାଯାଇଛି ।

ଘଟଣାସ୍ଥଳରେ ଦକ୍ଷିଣାଂଚଳ ଆରଡିସି, ଡିଆଇଜି ଓ ଜିଲ୍ଲାପାଳ ଉପସ୍ଥିତ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ବନ୍ୟାକୁ ଆଖିରେ ରଖି ରାୟଗଡା କଲ୍ୟାଣସିଂପୁରର ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍କୁଲଗୁଡିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଅଂଚଳରେ ଶୁଖିଲା ଖାଦ୍ୟ ଓ ବନ୍ୟା ଆଶ୍ରୟସ୍ଥଳ ଗୁଡିକରେ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।