ସାମ୍ନାକୁ ଆସୁଛି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସତ! ପୁଣି କଲ୍ୟାଣସିଂହପୁରରେ ଭାରରେ ବୁହାହେଲେ ଗର୍ଭବତୀ

29

କନକ ବ୍ୟୁରୋ : କଲ୍ୟାଣସିଂହପୁରର ଦୁଃଖ । ପୁଣି ଦୋଳାରେ ବୁହାହୋଇ ନଦୀ ପାର ହେଲେ ପ୍ରସୂତି । ଏହି ଘଟଣା ଘଟିଛି ନିୟମଗିରି ପାହାଡର ପାର୍ସାଲି ପଂଚାୟତର ଫାକେରୀ ଗାଁରେ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମାସକ ମଧ୍ୟରେ ଏଭଳି ୮ଟି ଘଟଣା ଘଟିଲାଣି । ଏଭଳି ଘଟଣା ଜନନୀ ସୁରକ୍ଷା ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୮ ଅଗଷ୍ଟ ୨୦୧୭ : ଦୋଳାରେ ବୁହା ହୋଇ ନଦୀ ପାର ହେଲେ ପ୍ରସ୍ତୁତି । ନିୟମଗିରି ପାହାଡର ପାର୍ସାଲି ପଂଚାୟତର ଫାକେରୀ ଗାଁରେ ଦୋଳାରେ ବୁହାହୋଇ ନଦୀ ପାର ହୋଇଛନ୍ତି ପ୍ରସୂତି । ଦୋଳାକରି ଗାଁଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ବୋହିଆଣିଛନ୍ତି ସଂପର୍କୀୟ । କିନ୍ତୁ ଅଧା ବାଟରେ ଆଲେମ ଏକ ମୃତ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଆଲେମଙ୍କ ଅବସ୍ଥା ଗୁରୁତର ରହିଛି ।

୨୮ ଜୁଲାଇ ୨୦୧୭: ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ଗର୍ଭବତୀଙ୍କୁ ଅଣାଗଲା ଡାକ୍ତରଖାନା । ନାଗାବଳୀ ନଦୀରେ ବେକେ ପାଣିରେ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ଗର୍ଭବତୀଙ୍କୁ ନଦୀ ପାର କଲେ । ରାୟଗଡା ଜିଲ୍ଲା ସିକରପାଇ ପଂଚାୟତ ତଳସଜା ଗାଁର ଅଜମିଣି ଆକାଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ଆଉ କୌଣସି ଉପାୟ ନପାଇ ସମ୍ପର୍କୀୟ ଓ ଗ୍ରାମବାସୀ ତାଙ୍କୁ ଭରା ନଦୀ ପାର କରି ଆଣିଥିଲେ ।

୨୧ ଜୁଲାଇ ୨୦୧୭: ବିପଦଜ୍ଜନକ ଭାବେ ବାଉଁଶ ଭେଳାରେ ନଦୀ ପାର ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା କଲ୍ୟାଣସିଂହପୁର ପଂଚାୟତ ପୁରୁଣାଭଟ୍ଟା ଗାଁରେ । କଲ୍ୟାଣ ନଦୀରେ ବନ୍ୟା ଆସି ପୋଲ ଭାସିଯାଇଥିବାରୁ ବାଉଁଶ ଭେଳାରେ ପ୍ରସୂତିଙ୍କୁ ଅଣାଯାଇଥିଲା ମେଡିକାଲ ।

୧୧ ଜୁଲାଇ୨୦୧୭: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଂଚାୟତ ଅନ୍ତର୍ଗତ ତଳସଜା ଗାଁ । ଆମ୍ବୁଲାନ୍ସ ନ ମିଳିବାରୁ ଗର୍ଭବତୀଙ୍କୁ ବୋହି ନଈ ପାର ହୋଇଥିଲେ ଗାଁ ଲୋକେ । ପ୍ରବଳ ବର୍ଷା ହୋଇଥିବାରୁ ନାଗାବଳୀ ନଦୀରେ ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ଧରି ପାଣି ସ୍ରୋତ କାଟି ଜୀବନକୁ ବିପନ୍ନ କରି ନଦୀ ପାର ହୋଇଥିଲେ ସଂପର୍କୀୟ ।

କେବଳ ଏତିକି ନୁହଁ, ମାସକ ମଧ୍ୟରେ ଏଭଳି ୮ଟି ଘଟଣା ଘଟିଲାଣି ରାୟଗଡା କଲ୍ୟାଣସିଂହପୁରରେ । ଉପାନ୍ତ ଅଂଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସରକାରଙ୍କ ଦୃଷ୍ଟି ପଡୁନି ଏହି ଅଂଚଳ ଉପରେ । ମାସକ ମଧ୍ୟରେ ଏଭଳି ୮ଟି ଘଟଣା ଜନନୀ ସୁରକ୍ଷା ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।