ମେକ୍ ଇନ୍ ଇଣ୍ଡିଆକୁ ଆଉ ଏକ ସଫଳତା ! ହାଇଦ୍ରାବାଦରେ ତିଆରି ହେବ ଆଂଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସ୍ପାଇକ୍ ଏମଆର୍

39

କନକ ବ୍ୟୁରୋ: ମେକ୍ ଇନ୍ ଇଣ୍ଡିଆକୁ ଆଉ ଏକ ସଫଳତା । ହାଇଦ୍ରାବାଦରେ ତିଆରି ହେବ ଇସ୍ରାଏଲର ଆଂଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସ୍ପାଇକ୍ ଏମଆର୍ । ଭାରତୀୟ ସେନା ଏହାର ପରୀକ୍ଷଣକୁ ନେଇ ସନ୍ତୁଷ୍ଟ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଭାରତୀୟ କମ୍ପାନୀ କଲ୍ୟାଣୀ ଷ୍ଟ୍ରାଟେଜିକ୍ ସିଷ୍ଟମ ଓ ଇସ୍ରାଏଲୀ କମ୍ପାନୀ ରାଫାଲ୍ ଡିଫେନ୍ସ ସିଷ୍ଟମର ସହଭାଗିତାରେ ଏହି ପ୍ରକଳ୍ପକୁ ରୂପ ଦିଆଯିବ ବୋଲି ଜଣାପଡ଼ିଛି ।

ଏହି ଇସ୍ରାଏଲୀ ମିସାଇଲ ଖୁବ୍ ଶକ୍ତିଶାଳୀ ଓ ଏହାର ଲକ୍ଷ୍ୟଭେଦୀ କ୍ଷମତା ଅତୁଳନୀୟ ବୋଲି କୁହାଯାଉଛି । ୨.୫ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ସ୍ପାଇକ୍ ଏମଆର୍ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଇଛି । ତୃତୀୟ ପିଢ଼ିର ଏହି ପୋର୍ଟେବଲ ମଲ୍ଟି ପର୍ପଜ୍ ଇଲେକ୍ଟ୍ରୋ ଅପ୍ଟିକାଲ ମିସାଇଲ୍ ୧୨ରୁ ୧୪ କିଲୋଗ୍ରାମ ପର୍ଯ୍ୟନ୍ତ ରହିବ ।

ତେବେ ଏହାକୁ ବିଶ୍ୱର ସର୍ବାଧୂନିକ ଆଂଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ କୁହାଯାଉଛି । ହାଇଦ୍ରାବାଦରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ମାସ ୨୦୦ରୁ ଅଧିକ ମିସାଇଲ ପ୍ରସ୍ତୁତ ହୋଇପାରିବ ବୋଲି ଅନୁମାନ କରାଯାଉଛି ।