ବିକାଶର ନାରା ଭିତରେ ଆସିଲା ଗ୍ରାମୀଣ ଓଡ଼ିଶାର ଦୟନୀୟ ଚିତ୍ର : ଭରା ନଈରେ ଭାର କରି ଗର୍ଭବତୀଙ୍କୁ ପାରି କରାଇଲେ ଗ୍ରାମବାସୀ

29

କନକ ବ୍ୟୁରୋ : ଭରା ନଈରେ ବୁହା ହେଲେ ଗର୍ଭବତୀ । ଅଣ୍ଟାଏ ଉଚ୍ଚର ନଈ ପାଣିରେ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ୍ ଗଲେ ଆସନ୍ନ ପ୍ରସବା । ରାୟଗଡା ଜିଲ୍ଲାର ଉପାନ୍ତ ଅଂଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ନଦୀ ଭିତରେ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀଙ୍କୁ ବୋହିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ଏତେ ସବୁ ଅସୁବିଧା ସତ୍ୱେ ମହିଳା ଜଣକ ଏବେ ସୁସ୍ଥ ଅଛନ୍ତି । ଏପରିକି ସୁସ୍ଥ ଶିଶୁକୁ ବି ଜନ୍ମ ଦେଇଛନ୍ତି । ତେବେ ଉପାନ୍ତ ଅଂଚଳର ଏହି ଦୃଶ୍ୟ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନଈ ଏପାରି ଗାଁ ସେପାରିରେ ହସପିଟାଲ । କଲ୍ୟାଣସିଂହପୁର ପଂଚାୟତର ତଳସଜା ଓ ଉପରସଜାରେ ବାସ କରନ୍ତି ପ୍ରାୟ ୮୦ଟି ପରିବାର । ଗାଁରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୫ କିଲୋମିଟର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୮ କିଲୋମିଟର । ଆଉ ମେଡିକାଲ ଯିବାକୁ ଏହା ଏକମାତ୍ର ରାସ୍ତା । ଅର୍ଥାତ୍ ଜୀବନ ବଂଚାଇବାକୁ ହେଲେ ଜୀବନକୁ ଲଗାଇବାକୁ ପଡିବ ବାଜି ।

ଖରାଦିନେ ନଈରେ ଚାଲେ ଅଣ୍ଟାଏ ଉଚ୍ଚର ପାଣି । ଆଉ ବର୍ଷା ହେଲେ ସ୍ଥିତି ସାଂଘାତିକ । ଗାଁକୁ ରାସ୍ତା ଓ ପୋଲ ତିଆରି ନେଇ ବାରମ୍ବାର ଦାବି ହୋଇଛି । ହେଲେ ଉପାନ୍ତ ଅଂଚଳର ଏହି ଗରିବ ଲୋକଙ୍କ କଥା ଶୁଣିବ କିଏ ?
ଦେଶ ସ୍ୱାଧିନ ହେବାର ୭୦ ବର୍ଷ ହେଲାଣି । ସରକାର ଯୋଜନା ପରେ ଯୋଜନା କରୁଛନ୍ତି । କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି । ହେଲେ ରାୟଗଡା କଲ୍ୟାଣସିଂହପୁରର ଏଦୃଶ୍ୟ ସେ ସବୁକୁ ଉପହାସ କରୁଛି ।

ଦେଖନ୍ତୁ ଏହି ଭିଡ଼ିଓ –