ସମସ୍ୟା ଭିତରେ ଥାଇ ବି ପାଇଛନ୍ତି ସଫଳତା ! ଆଜି ଏ ମହିଳା ଜଣେ ସଫଳ ଉଦ୍ୟୋଗପତି !

98

ଏ ଏମିତି ଏକ ମହିଳାଙ୍କର କାହାଣୀ ,ଯିଏ, ସବୁ ସମସ୍ୟାକୁ ପ୍ରତିହତ କରି ,ଲଢିଥିଲେ ଜୀବନ ଯୁଦ୍ଧ । ଆଉ ନିଜେ ହିଁ ତିଆରି କରିଥିଲେ ନିଜର ବଂଚିବାର ବାଟ । ତାଙ୍କର ସଂଘର୍ଷର କାହାଣୀ ଯେତିକି କଷ୍ଟଦାୟକ ସେତିକି ପ୍ରେରଣାଦାୟକ । ନାଁ ତାଙ୍କର କଳ୍ପନା ସରୋଜ । ଆଜି ଦେଶର ଜଣେ ସେ ସଫଳ ଉଦ୍ୟୋଗପତି । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମରେ ସବୁ ସମ୍ଭବ ,ଏହା କଳ୍ପନା କରିଦେଖେଇଛନ୍ତି । ଜଣେ ଝିଅ ହୋଇ ଜନ୍ମ ହୋଇଥିବାରୁ ପରିବାରରେ କିଛି ସଦସ୍ୟ ଓ ସଂପର୍କୀୟ ତାଙ୍କ ଉପରେ ଖୁସି ନଥିଲେ । ପରିବାରର ସେ ବୋଝ ବୋଲି ଭାବିଥିଲେ ସେମାନେ । କିନ୍ତୁ ଆଜି ସେ କଣ କରିଦେଖେଇଛନ୍ତି ।

ବାର ବର୍ଷ ବୟସରେ କଳ୍ପନାଙ୍କର ହୋଇଥିଲା ବିବାହ । ଜଣେ ଦଳିତ ବାଲ୍ୟବଧୂ ଥିଲେ ସେ । ଅନେକ ଶାରୀରିକ ଓ ମାନସିକଯନ୍ତ୍ରଣା ଭୋଗିଥିଲେ । ତଥାପି ସେଥିରେ ସେ ଭାଂଗିଯାଇନଥିଲେ । ସବୁ ପରିସ୍ଥିତିକୁ ଧୈର୍ଯ୍ୟର ସହ ସହ୍ୟକରି ସେ ପାଇଛନ୍ତି ସଫଳତା । ଆଜି ବାର୍ଷିକ ୧୧ କୋଟି ଆୟ କରୁଥିବା ଏକ କଂପାନୀର ମାଲିକ କଳ୍ପନା ।

ମହାରାଷ୍ଟ୍ରର ଏକ ଦଳିତ ପରିବାରରେ ଜନ୍ମ ହୋଇଥିଲେ କଳ୍ପନା । ସଂପର୍କୀୟ ଖୁସି ନଥିଲେ ମଧ୍ୟ ତାଙ୍କ ବାପା କିନ୍ତୁ ଖୁସିଥିଲେ ଝିଅକୁ ପାଇ । ବାପାଙ୍କ ସହଯୋଗରେ ସେ ପ୍ରାଥମିକ ଶିକ୍ଷା ଲାଭ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ତା’ ଠାରୁ ଆଗକୁ ପଢିବାର ଅନୁମତି ତାଙ୍କ ସମାଜ ତାଙ୍କୁ ଦେଇନଥିଲା । ମାତ୍ର ୧୨ବର୍ଷରେ ତାଙ୍କ ବୟସରେ ୧୦ ବର୍ଷ ବଡ ଜଣେ ବ୍ୟକ୍ତିଙ୍କୁ କରିଥିଲେ ବିବାହ । ବିବାହ ପରେ ସ୍ୱାମୀଙ୍କ ମୁମ୍ବାଇ ଆସିବା ପରେ ସେ ଜାଣିଥିଲେ କି ତାଙ୍କ ପରିବାର ଏକ ବସ୍ତି ଅଂଚଳରେ ରହୁଛନ୍ତି । ସେଥିରେ ସେ ନିଜକୁ ଖୁସିରେ ଚଳେଇନେଇଥିଲେ । କିନ୍ତୁ ପରିସ୍ଥିତି ଓଲଟା ହୋଇଥିଲା । ପ୍ରତିଦିନ ତାଙ୍କୁ ସହିବାକୁ ପଡୁଥିଲା ନିର୍ଯାତନା । ଝିଅର ଏପରି ଅବସ୍ଥାରେ ବ୍ୟଥିତ ହୋଇ ବାପା ତାଙ୍କୁ ନିଜ ଘରକୁ ଫେରେଇଆଣିଥିଲେ । କିନ୍ତୁ ଅଧିକ ଦିନ ସେ ରହିପାରିନଥିଲେ ବାପାଙ୍କ ଘରେ । ଏପରି ସମୟ ଆସିଥିଲା ଯେତେବେଳେ ସେ ଜୀବନ ହାରିବା ପାଇଁ ଚାହିଁଥିଲେ । ବୋଧହୁଏ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା । ପୁଣି ସେ ଆରମ୍ଭ କଲେ ଏକ ନୂଆ ଜୀବନ ।

ମୁମ୍ବାଇରେ ଥିବା ତାଙ୍କର ଜଣେ ସପକ୍ଷବାଦୀ ସଂପର୍କୀୟଙ୍କ ଘରେ ରହି ସେ ଶଖିଲେ ଟେଲରିଂ । ଖୁବ୍ କମ୍ ଦିନରେ ସେ ତାଲିମ୍ ନେଇ ଟେଲରିଂ ଦୋକାନ ଆରମ୍ଭ କଲେ । ସେଥିରେ ଯାହା ରୋହଗାର ହେଉଥିଲା । ନିଜେ ଚଳିବା ସହ ପରିବାରକୁ ମଧ୍ୟ ଚଳାଇଥିଲେ । ତାହା ଯଥେଷ୍ଟ ନହେବାରୁ ସରକାରୀ ଋଣ ନେଇ ଏକ ଫର୍ଣ୍ଣିଚର ବ୍ୟବସାୟ ଆରମ୍ଭ କରିଥିଲେ ସେ । ଏହି ବ୍ୟବସାୟ ହିଁ ତାଙ୍କ ଜୀବନରେ ଆଣିଦେଲା ପରିବର୍ତ୍ତନ । ଏହାର ଅଗ୍ରଗତିର ପ୍ରତ୍ୟେକ ସୋପାନ ତାଙ୍କୁ ଜଣେ ଉଦ୍ୟୋଗପତି ହେବାକୁ ପ୍ରବର୍ତ୍ତେଇଥିଲା । ଆଉ ସବୁ ସୋପାନକୁ ସେ ପାର୍ କରି ହେଲେ ଜଣେ ଉଦ୍ୟୋଗପତି । ଏବେ ସେ ଆରମ୍ଭ କରିଚନ୍ତି ଏକ ଏନଜିଓ । ଯାହା ମାଧ୍ୟମରେ ସେ ଲୋକମାନଙ୍କୁ ବିଭିନ୍ନ ସରକାରୀ ଋଣ ଓ ଯୋଜନା ସଂପର୍କରେ ଅବଗତ କରାଉଛନ୍ତି । ନିଜର ସଫଳତାକୁ ପୁଂଜି କରି କଳ୍ପନା ବର୍ତ୍ତମାନର ଯୁବଗୋଷ୍ଠୀଙ୍କ ପାଇଁ ଦେଇଛନ୍ତି ପରାମର୍ଶ । ସେ କୁହନ୍ତି ଏକନିଷ୍ଠ ହୋଇ କାମ କଲେ ନିଶ୍ଚୟ ଲକ୍ଷ୍ୟ ହାସଲ କରିହେବ ।