ସାତଦିନ କାଳୀପୂଜା ପରେ ଯାଜପୁର ସହରରେ ଆରମ୍ଭ ହୋଇଛି ଭଷାଣ ଶୋଭାଯାତ୍ରା । ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁରରେ ଚାଲିଥିବା ଗଣପର୍ବ କାଳୀପୂଜାର ଆଜି ଆନ୍ତିମ ଦିନ

79

କନକ ବ୍ୟୁରୋ : ଯାଜପୁରରେ ଚାଲିଥିବା ଗଣପର୍ବ କାଳୀପୂଜାର ଆଜି ଆନ୍ତିମ ଦିନ । ସହର ମଧ୍ୟରେ ୫୦ରୁ ଅଧିକ ପୂଜା ମଣ୍ଡପରେ ଚାଲିଛି ମା’ଶ୍ୟାମାକାଳୀ ଓ ଲକ୍ଷ୍ମୀ ନାରାୟଣଙ୍କ ପୂଜା । ସନ୍ଧ୍ୟାଠାରୁ ହିଁ ସହର ମଧ୍ୟରେ ପ୍ରବଳ ଲୋକଙ୍କ ସମାଗମ ହେଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ସାରା ପୋଲିସ ମୁତୟନ ହୋଇଛନ୍ତି ।

 

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ପୋଲିସ ଟେଣ୍ଟ ହାଉସ ମଧ୍ୟ ହୋଇଛି । ଗତ ୬ ତାରିଖରୁ ଚାଲୁଥିବା ପୂଜାରେ ଆଜି ସଦାବ୍ରତମଠଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ମେଢ ଗୁଡିକ ବିସର୍ଜନ ହୋଇ ଦେବୀଗଡା ଅଭିମୁଖେ ବାହାରିଥିବା ସୂଚନା ମିଳିଛି ।

 

ଏହି ଭଷାଣ ଶୋଭାଯାତ୍ର ପାଇଁ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ନଦୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆଜି ରାତି ୧୧ ପର୍ଯ୍ୟନ୍ତ ଭଷାଣ ଚାଲିବାକୁ ଥିବା ବେଳେ ଆସନ୍ତାକାଲି ଗରିଆପୁରଠାରୁ ଆରମ୍ଭ କରି ବିରଜା ହାଟ ପର୍ଯ୍ୟନ୍ତ ଭଷାଣ ହେବ ବୋଲି ସୂଚନା ମିଳିଛି ।

 

ତେବେ ସହରର ଆଦ୍ୟକାଳୀ ଗରୁଡ କାଳୀଙ୍କ ଭଷାଣ ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ସୂଚନା ମିଳିଛି । କାରଣ ମା’ ପାଣିକୁ ଯିବା ସମୟରେ ଅନେକ ସ୍ଥାନରେ ବାଟ ଭୋଗ ଦେବାର ବ୍ୟବସ୍ଥା ରହିଛି । ତେବେ ଭଷାଣ ପାଇଁ ସହରରେ ଏବେଠାରୁ ଭିଡ ଜମିଥିବା ସୂଚନା ମିଳିଛି ।