କଳା ଧୂଆଁରେ କଳିଙ୍ଗନଗରର ଗାଡ଼ପୁର ! ଟାଟା ଓ ଜିନ୍ଦଲ କମ୍ପାନୀ ମଝିରେ ରହିଥିଲେ ବି ଗ୍ରାମବାସୀଙ୍କୁ ମିଳୁନି ସାମାନ୍ୟ ସୁବିଧା

38

କନକ ବ୍ୟୁରୋ : ବିସ୍ଥାପନକୁ ନେଇ ପୁଣି ଥରେ ଅଶାନ୍ତ ହେଉଛି କଳିଙ୍ଗନଗର । ଟାଟା ଓ ଜିନ୍ଦଲ କମ୍ପାନୀ ମଝିରେ ଥିବା ଗାଡପୁର ଗ୍ରାମବାସୀଙ୍କୁ ବିସ୍ଥାପନ କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆନ୍ଦୋଳନ ଧମକ ଦେଇଛି ଆଦିବାସୀ ସୁରକ୍ଷା ମଂଚ । କାରଖାନାର ଧୂଆଁରେ କଳିଙ୍ଗନଗର ପ୍ରଦୂଷିତ ହେଉଥିବାବେଳେ ସ୍ଥାନୀୟ ଲୋକେ ଏହାର ପ୍ରତିବଦଳରେ କିଛି ସୁବିଧା ପାଉନଥିବା ନେଇ ଅଭିଯୋଗ କରିଛନ୍ତି ।

କଳିଙ୍ଗନଗରର କଳା ଧୂଆଁରେ ଗାଡପୁର । ଗୋଟିଏ ପଟେ ରହିଛି କଳିଙ୍ଗନଗରର ଟାଟା ଓ ଜିନ୍ଦଲ କାରଖାନା । ଆରପଟେ ରହିଛି ଦୁଇଟି କାରଖାନାର ପାଚେରୀକୁ ଲାଗି ରହିଥିବା ଦଳିତ ଓ ଆଦିବାସୀ ବହୁଳ ଗାଡପୁର ଗାଁ । ବଣ ଜଙ୍ଗଲ ଘେରା ଗାଁରେ ଭଙ୍ଗା ଦଦରା ଘରେ ରହୁଛନ୍ତି ସ୍ଥାନୀୟ ବାସିନ୍ଦା । କାରଖାନାରୁ ନିର୍ଗତ ଦୂଷିତ, ବିଷାକ୍ତ ଧୂଳିଧୂଆଁର ଶିକାର ହେଉଥିଲେ ମଧ୍ୟ କାରଖାନାରେ ଗାଡପୁରବାସୀଙ୍କୁ ଚାକିରୀ ଖଣ୍ଡିଏ ମିଳୁନି । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଓ ପରିମଳ କଥା ନକହିବା ଭଲ ।

ଅନ୍ୟପଟେ ଗାଡପୁରବାସୀଙ୍କୁ ଏବେ ଘାରିଛି ବିସ୍ଥାପିତ ହେବାର ଭୟ । ସେମାନଙ୍କୁ ସ୍ଥାନାନ୍ତର କରିବାକୁ କମ୍ପାନୀ କର୍ତ୍ତିୃପକ୍ଷ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ନେଇ ପୁଣି ଥରେ କଳିଙ୍ଗନଗର ଅଂଚଳରେ ଅଶାନ୍ତି ଦେଖାଦେଇଛି । ଆନ୍ଦୋଳନ ଡାକରା ଦେଇଛି ଆଦିବାସୀ ସୁରକ୍ଷା ମଂଚ । ପୂର୍ବରୁ କାରଖାନାର ଜମି ଅଧିଗ୍ରହଣବେଳେ ଗାଡପୁରରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଭାଙ୍ଗି ଦିଆଯାଇଥିଲା । ଏପରିକି କମ୍ପାନୀ ରାସ୍ତାକୁ ମଧ୍ୟ ତାଡି ଦେଇଥିଲା ବୋଲି ଗ୍ରାମବାସୀ କହିଛନ୍ତିି । ତେବେ ଗାଡପୁରବାସୀଙ୍କ ସମସ୍ୟା ଓ ଦାବୀକୁ ବିଚାରକୁ ନିଆଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।

କଳିଙ୍ଗନଗରରେ ବିସ୍ଥାପନକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ୨୦୦୬ରେ ପୋଲିସ ଗୁଳିରେ ୧୩ଜଣ ଆଦାବାସୀଙ୍କ ଜୀବନ ଯାଇଥିଲା । ତେଣୁ ପୁଣି ବିସ୍ଥାପନ ବିରୋଧୀ ଆନ୍ଦୋଳନ ହେଲେ ଏହାକୁ ରୋକିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ ।