ମିଛ ଥିଲା କଳିଙ୍ଗ ଯୁଦ୍ଧ ? ୨୩ଶହ ବର୍ଷ ତଳର ଇତିିହାସକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ବିଶ୍ୱଭୂଷଣ, ଏକମତ ହେଲେ ନାହିଁ ଐତିହାସିକ

514

କନକ ବ୍ୟୁରୋ : ୨୩ ଶହ ବର୍ଷ ତଳର ଇତିିହାସକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ଦୟାନଦୀ କୂଳରେ ସଂଗଠିତ କଳିଙ୍ଗ ଯୁଦ୍ଧ ଅବାସ୍ତବ ଓ ଏକ ମନଗଢା କାହାଣୀ ବୋଲି କହିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବିଜେପି ନେତାଙ୍କ କହିବା ହେଲା, ମଗଧ ସମ୍ରାଟ ଅଶୋକଙ୍କୁ ମହାନ କରି କଳିଙ୍ଗବାସୀଙ୍କୁ ନ୍ୟୁନ କରିବା ପାଇଁ ଇତିହାସରେ କଳିଙ୍ଗ ଯୁଦ୍ଧ କଥା ଲେଖାଯାଇଛି । ପୂର୍ବରୁ ତାଜମହଲକୁ ନେଇ ବିବାଦୀୟ ବୟାନ ପରେ, କଳିଙ୍ଗ ଯୁଦ୍ଧକୁ ନେଇ ବିଜେପିର ଏଭଳି ପ୍ରଶ୍ନ ବୁଦ୍ଧିଜୀବୀ  ଓ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

kaliga warଆଜିକୁ ପ୍ରାୟ ୨୩ଶହ ବର୍ଷ ତଳେ ଖ୍ରୀଷ୍ଟପୂର୍ବ ୨୬୧ରେ ଘଟିଥିଲା କଳିଙ୍ଗ ଯୁଦ୍ଧର ମହାସଂଗ୍ରାମ । ଯେଉଁଥିରେ ପ୍ରାୟ ୧ଲକ୍ଷ ବୀର ସୈନିକଙ୍କ ମୃତ୍ୟୁ ହେଲା, ଦେଢଲକ୍ଷ ବନ୍ଦୀ ହେଲେ ଓ ଲକ୍ଷାଧିକ କ୍ଷତବିକ୍ଷତ, ପଙ୍ଗୁ ହୋଇଗଲେ । ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ହୋଇଥିଲେ ମଗଧ ସମ୍ରାଟ ଅଶୋକ । କିନ୍ତୁ ଇତିହାସ ପୃଷ୍ଠାରେ ଉଲ୍ଲେଖ ଏହି ଭୀଷଣ ରକ୍ତପାତକୁ ନେଇ  ତିଆରି ହୋଇଛି ସନ୍ଦେହ । ଆମେ ବର୍ଷବର୍ଷ ଧରି ଓଡିଆ ଓ ଇଂରାଜୀ ଇତିହାସ ବହିରେ ପଢିଆସୁଥିବା କଳିଙ୍ଗ ଯୁଦ୍ଧର ସତ୍ୟତାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ । ଏପରିକି ଗବେଷକ ମାନେ ପୁର୍ନବାର ଏହା ଉପରେ ଗବେଷଣା କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ଉଚିତ ବୋଲି କହିଛନ୍ତି ବିଶ୍ୱଭୂଷଣ ।

କେତୋଟି ବଳିଷ୍ଠ ଯୁକ୍ତି ସହ କଳିଙ୍ଗ ଯୁଦ୍ଧକୁ ଅସତ୍ୟ ବୋଲି ଦର୍ଶାଇଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ।

୧-ଯଦି ଏତେ ସଂଖ୍ୟାରେ କଳିଙ୍ଗ ସୈନ୍ୟ ମୃତାହତ ଓ ବନ୍ଦୀ ହେଲେ ତେବେ ଏମାନଙ୍କ ନେତୃତ୍ୱ କିଏ ନେଉଥିଲେ ?

୨- ସେ ସମୟରେ କଳିଙ୍ଗର ରାଜା କିଏ ଥିଲେ ସେନେଇ ଇତିହାସରେ କୌଣସି ସୂଚନା ନାହିଁ କାହିଁକି?

୩-ରାଜା ବା ସମ୍ରାଟ ନଥାଇ ଏତେବଡ ସେନାବାହିନୀ ଯୁଦ୍ଧକ୍ଷେତ୍ରକୁ ଆସିବା କିଭଳି ସମ୍ଭବ ହେଲା?

୪-ଗୋଟିଏ ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ହତ୍ୟା ସଂପର୍କରେ ବିଶ୍ୱ ଇତିହାସରେ କୌଣସି ବର୍ଣ୍ଣନା ନାହିଁ କାହିଁକି?-

୫-କେତେକ ଶିଳାଲିପି ଅନୁସାରେ କଳିଙ୍ଗ ଯୁଦ୍ଧର ଦୁଇବର୍ଷ ପୂର୍ବରୁ ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିସାରିଥିଲେ

୬- ବୌଦ୍ଧ ଧର୍ମ ହେଉଛି ଶାନ୍ତିର ପ୍ରତୀକ ! ତେଣୁ କିପରି ଅଶୋକ ଏଭଳି ନରସଂହାର କଲେ

daulliବିଜେପିର ଏହି ଯୁକ୍ତିକୁ କିନ୍ତୁ ଗ୍ରହଣ କରିବାକୁ ନାରାଜ ଅନ୍ୟ ରାଜନୈତିକ ଦଳର ନେତା ଓ ଐତିହାସିକ । ବିଜେଡି କହିଛି କେନ୍ଦ୍ରରେ କ୍ଷମତାରେ ଥିବାରୁ ଇତିହାସ ବଦଳାଇବାକୁ ବସିଛି ବିଜେପି । ସେହିପରି ପ୍ରକୃତରେ କେଉଁ ଅଂଚଳଟି କଳିଙ୍ଗ ସେନେଇ ଅଧିକ ଗବେଷଣାର ଆବଶ୍ୟକତା ଥିବା କହିଛନ୍ତି ବିଶିଷ୍ଟ ଐତିହାସିକ ।

ବିଜେପି ନେତାଙ୍କ କଥା ଅନୁସାରେ ସମ୍ରାଟ ଅଶୋକଙ୍କୁ ମହାନ କରି କଳିଙ୍ଗବାସୀଙ୍କୁ ନ୍ୟୁନ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଯୁଦ୍ଧକୁ ନେଇ ଇତିହାସ ଲେଖାଯାଇଛି ? ଏହି ପ୍ରଶ୍ନ ଏବେ ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।