ହରିଦ୍ୱାର ଅଭିମୁଖେ ଓଡିଶାରୁ ଚଢିଥିଲେ ୯୯ ଯାତ୍ରୀ ! ପୂର୍ବତଟ ରେଳବାଇର ସୂଚନା ୩୦ ଓଡିଆ ଯାତ୍ରୀ ଆହତ

41

କନକ ବ୍ୟୁରୋ: ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣା ଖବର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି । ଗତକାଲି ସଂଧ୍ୟାରେ ଦୁର୍ଘଟଣା ଖବର ଜଣାପଡ଼ିବା ପରେ ରାଜ୍ୟ ସରକାର, ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତନାଘନା ଆରମ୍ଭ କରିଛନ୍ତି । ୧୭ ତାରିଖ ରାତିରେ ପୁରୀରୁ ଛାଡ଼ିଥିବା ଏହି ଟ୍ରେନ୍ରେ ଓଡ଼ିଶାରୁ ୯୯ଜଣ ହରିଦ୍ୱାର ଯାତ୍ରୀ ଥିବା ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ । ତେବେ ଦୁର୍ଘଟଣାରେ ମୃତାହତଙ୍କ ସଂପର୍କରେ ରିପୋର୍ଟ ଲେଖା ହେବା ଯାଏ ନିର୍ଦ୍ଦିଷ୍ଟ ତଥ୍ୟ ହସ୍ତଗତ ହୋଇନାହିଁ ।

ପୂର୍ବତଟ ରେଳପଥ ଅଧିକାରୀଙ୍କ ସୂଚନାନୁସାରେ ଏହି ଟ୍ରେନରେ ପୁରୀରୁ ୭୨, ଖୋର୍ଦ୍ଧାରୁ ୫, ଭୁବନେଶ୍ୱରରୁ ୭, କଟକରୁ ଜଣେ, ଯାଜପୁର ଓ କେନ୍ଦୁଝର ରୋଡରୁ ୩, ଝାରସୁଗୁଡା ୭, ମନୋହରପୁରରୁ ୨ଜଣ ଓ ବ୍ରଜରାଜନଗରରୁ ୨ ଜଣ ଯାତ୍ରୀ ହରିଦ୍ୱାରକୁ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରୁ ଏସି ବଗି ବି-୨ରେ ୨ଜଣ, ବି-୩ରେ ୩ଜଣ, ବି-୪ରେ ୩ଜଣ, ଏସ୍-୧ରେ ୩୬ଜଣ, ଏସ୍-୨ରେ ୬ଜଣ, ଏସ୍-୩ରେ ୩୭ଜଣ, ଏସ୍-୫ରେ ୩ଜଣ, ଏସ୍-୮ରେ ଜଣେ, ଏସ୍-୯ରେ ଜଣେ, ଏସ୍-୧୧ରେ ତିନି ଜଣ, ଏସ୍-୧୨ରେ ଜଣେ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଆହତ ହୋଇଥିବାର ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅଧିକାରୀମାନଙ୍କୁ ରେଳ ମନ୍ତ୍ରଣାଳୟ ସହ ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ସମନ୍ଵୟ ରକ୍ଷା ପାଇଁ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ସେହିପରି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ସଂପର୍କରେ ଅଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପକ୍ଷରୁ କୁହାଯାଇଛି, ଏହି ଦୁର୍ଘଟଣାରେ ଯଦି କୌଣସି ଓଡ଼ିଆଙ୍କର ମୃତ୍ୟୁ ହୋଇଥିବ ତେବେ ସେମାନଙ୍କ ପରିବାରବର୍ଗକୁ ୫ଲକ୍ଷ ଟଙ୍କା ସହାୟତା ଓ ଆହତ ଯାତ୍ରୀଙ୍କୁ ୫୦ହଜାର ଟଙ୍କା ମିଳିବ। ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଅନ୍ୟପକ୍ଷରେ ପରିବହନ ବିଭାଗ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ବିଜେଡିର ଏକ ୫ଜଣିଆ ଟିମ୍ ରବିବାର ମୁଜଫରନଗର ଅଭିମୁଖେ ଯିବ ବୋଲି ସୂଚନା ମିଳିଛି ।

ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ଶୁଣି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ଅନେକ ଓଡ଼ିଆ ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଉତ୍ତମ ଚିକିତ୍ସା ଓ ଅନ୍ୟ ସୁବିଧା ଯୋଗାଇବାକୁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସମେତ ଅନ୍ୟ ମନ୍ତ୍ରୀ, ମୁଜଫରନଗର ଜିଲ୍ଲାପାଳ ଗୌରୀଶଙ୍କର ପ୍ରିୟଦର୍ଶୀଙ୍କ ସହ କଥା ହୋଇଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଶ୍ରୀ ପ୍ରଧାନ କହିଛନ୍ତି ଯେ, କୁଚିଣ୍ଡାର ବିଧାୟକ ରବି ନାୟକ ଦୁର୍ଘଟଣାଗ୍ରସ୍ତ ଓଡ଼ିଆ ଲୋକଙ୍କୁ ସାହାଯ୍ୟ କରିବାକୁ ଘଟଣାସ୍ଥଳକୁ ଯାଉଛନ୍ତି।

ଉଲ୍ଲେଖଥାଉକି, ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ମୁଜଫରନଗରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ହରିଦ୍ୱାରରୁ ଛାଡ଼ିବାକୁ ଥିବା ଟ୍ରେନ୍ ନଂ-୧୮୪୭୮ ହରିଦ୍ୱାର-ପୁରୀ ଟ୍ରେନ୍ ବାତିଲ୍ କରାଯାଇଛି । ଏହି ଟ୍ରେନରେ ଆସିବାକୁ ଥିବା ଯାତ୍ରୀଙ୍କ ପାଇଁ ଖୁବ୍ ଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

ତଦନ୍ତ ନିର୍ଦେଶ

ଟ୍ରେନ୍ ଦୁର୍ଘଟଣା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରେଳମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କର୍ମଚାରୀମାନଙ୍କ ଅବହେଳାରୁ ଏହି ଦୁର୍ଘଟଣା ଘଟିଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି । ଅପରପକ୍ଷେ ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ହେଲ୍ପଲାଇନ୍ ନମ୍ବର

୦୬୭୪-୨୩୦୧୫୨୫,୦୬୭୪-୨୩୦୧୬୨୫,୦୬୭୪-୨୩୦୩୦୬୦,୦୬୭୪-୨୪୯୨୬୧୧, ୦୬୭୪-୨୫୩୪୦୨୭, ୮୪୫୫୮୮୫୯୩୬, ଖୋର୍ଦ୍ଧା ରୋଡ୍: ୦୬୭୪-୨୪୯୨୪୧୧, ୦୬୭୪-୨୪୯୨୫୧୧,୦୬୭୪-୨୪୯୨୬୧୧,୦୬୭୪-୨୪୯୦୬୭୦,କଟକ: ୦୬୭୧-୨୨୦୦୫୬୮, ଯାଜପୁର କେନ୍ଦୁଝର ରୋଡ୍: ୦୬୭୨୬-୨୨୦୫୯୯, ପୁରୀ: ୦୬୭୫୨-୨୨୬୭୧୭, ୦୬୭୫୨-୧୦୭୨, ମୁଜାଫର ନଗର: ୦୧୩୧-୨୬୪୫୨୩୮