ଓଡ଼ିଆ ସିନେମାର ଏନ୍ତୁଡ଼ିଶାଳ କଳିଙ୍ଗ ଷ୍ଟୁଡ଼ିଓ ଉପରେ କ୍ରୀଡା ବିଭାଗର ଆଖି ! କ୍ରୀଡ଼ା ବିଭାଗ ସହ ମୁହାଁମୁହିଁ ହେବା ପାଇଁ କଳାକାରଙ୍କ ପ୍ରସ୍ତୁତି

40

କନକ ବ୍ୟୁରୋ : ଦିନେ, ଓଡ଼ିଆ ସିନେମାର ଏନ୍ତୁଡ଼ିଶାଳ କୁହାଯାଉଥିବା କଳିଙ୍ଗ ଷ୍ଟୁଡିଓ ଉପରେ ପଡିଛି କ୍ରୀଡ଼ା ବିଭାଗର ଆଖି । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପଲେକ୍ସ କରିବାକୁ ଚାହୁଁଛି କ୍ରୀଡ଼ା ବିଭାଗ । ଏନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛନ୍ତି କ୍ରୀଡ଼ା ସଚିବ । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । କଳିଙ୍ଗ ଷ୍ଟୁଡିଓକୁ ପୁନଃଉଦ୍ଧାର ନକରି କ୍ରୀଡ଼ା ବିଭାଗକୁ ଦେବାକୁ ଉଦ୍ୟମ ହେଲେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସିନେ କଳାକାର ସଂଘ ।

ଅବ୍ୟବହୃତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା କଳିଙ୍ଗ ଷ୍ଟୁଡିଓର ଜାଗାରେ ସ୍ପୋର୍ଟସ କମ୍ପଲେକ୍ସ କରିବାକୁ ଚାହୁଁଛି କ୍ରୀଡ଼ା ବିଭାଗ । ଏ ନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛନ୍ତି କ୍ରୀଡା ସଚିବ । କ୍ରୀଡାର ବିକାଶ ପାଇଁ କଳିଙ୍ଗ ଷ୍ଟିଡିଓର ଜାଗା ନେବା ପାଇଁ ଲେଖାଯାଇଛି ଚିଠି । ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ୨୨ ତମ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ସମୟରେ ଭୁବନେଶ୍ୱରକୁ ସ୍ପୋର୍ଟସ ହବ କରିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏ ନେଇ ଆଉ ପାଦେ ଆଗେଇଛି କ୍ରୀଡ଼ା ବିଭାଗ । କଳିଙ୍ଗ ଷ୍ଟୁଡିଓ ଜାଗାକୁ ସ୍ପୋର୍ଟସ କମ୍ପଲେକ୍ସ କରିବା ପାଇଁ କ୍ରୀଡା ବିଭାଗ ଚାହୁଁଥିବା ବେଳେ ଏହାକୁ ଜୋରଦାର ବିରୋଧ କରିବ ବୋଲି କହିଛି ଓଡ଼ିଶା ସିନେ ସଂଘ ।

୧୯୮୨ ମସିହାରେ ୨୫ ଏକର ଜାଗାରେ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡ଼ିଓ । କିନ୍ତୁ ୧୯୯୯ ମସିହା ମହାବାତ୍ୟା ବଦଳାଇ ଦେଇଥିଲା କଳିଙ୍ଗ ଷ୍ଟୁଡ଼ିଓର ରୂପରେଖ । ମହାବାତ୍ୟା ପରେ ଆଉ ଥରେ କଳିଙ୍ଗ ଷ୍ଟୁଡିଓକୁ ପୁନରୁଦ୍ଧାର କରିବାକୁ ପଦକ୍ଷେପ ନିଆଯାଇନାହିଁ । ଏହାକୁ ବିକାଶ ପାଇଁ ଅନେକ ଥର ସିନେ ସଂଘ ସ୍ୱର ଉଠାଇଥିଲେ ମଧ୍ୟ ଦୃଷ୍ଟି ଦେଇନାହାନ୍ତି ସରକାର । ଏବେ ସ୍ପୋର୍ଟସ କମ୍ପଲେକ୍ସର ଯୋଜନା ପରେ କଳିଙ୍ଗ ଷ୍ଟୁଡିଓର ଭାଗ୍ୟ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।