‘କଳିଙ୍ଗ’କୁ ଚଢ଼ିବ ଫୁଟବଲ୍ ଫିଭର । ୨୭ ତାରିଖ ମ୍ୟାଚ୍ ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ଷ୍ଟାଡ଼ିୟମ, ମୁହାଁମୁହିଁ ହେବେ ଓଡ଼ିଶା ଏଫସି-ଜାମଶେଦପୁର ।

172

କନକ ବ୍ୟୁରୋ: ‘କଳିଙ୍ଗ’କୁ ଫେରିଲା ଫୁଟବଲ୍ ଫିଭର । ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡ଼ିୟକରେ ଖେଳାଯିବ ‘ଇଣ୍ଡିଆନ୍ ସୁପର ଲିଗ’(ଆଇଏସଏଲ୍)ର ଏକ ମ୍ୟାଚ୍ । ଯେଉଁଥିରେ ଓଡ଼ିଶା ଏଫସି ଏବଂ ଜାମଶେଦପୁର ମଧ୍ୟରେ ହେବ ହେଭିୱେଟ୍ ମୁକାବିଲା । ସେଥିପାଇଁ ସାଧବ ବୋହୂ ପରି ସଜେଇ ହୋଇଛି ପୂରା ‘କଳିଙ୍ଗ’ । ସବୁଜିମାର ବୁକୁକୁ ଚିରି ଗ୍ୟାଲେରିଠାରୁ ଗ୍ରାଉଣ୍ଡ ପୂରା ସବୁଜମୟ ଆଉ ସୁନ୍ଦର ଦିଶୁଛି ।

ପିଚ୍ ବି ପ୍ରସ୍ତୁତ ପଡ଼ିଆ ବି ପ୍ରସ୍ତୁତ । ଅପେକ୍ଷା ଆଉ ଦିନ କେଇଟାର । ଆସନ୍ତା ୨୭ ତାରିଖ ଶୁକ୍ରବାର ରାତି ସାଢ଼େ ୭ଟାରେ କଳିଙ୍ଗ ଷ୍ଟାଡ଼ିୟମରେ ହେବ କଡ଼ା ମୁକାବିଲା । ଆଇଏସଏଲର ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ମୁହାଁମୁହିଁ ହେବେ ଓଡ଼ିଶା ଏଫସି ଓ ଜାମଶେଦପୁର । ତେବେ ବର୍ତ୍ତମାନ ଜାମଶେଦପୁର ୯ଟି ମ୍ୟାଚ୍ ଖେଳି ୩ଟି ବିଜୟ ହୋଇ ୧୩ ପଏଣ୍ଟ ସହାୟତରେ ଟେବୁଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ଓଡ଼ିଶା ଏଫସି ମୋଟ୍ ୯ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ୯ ପଏଣ୍ଟ ପାଇ ତାଲିକାର ୭ମ ସ୍ଥାନରେ ରହିଛି । ତେଣୁ ଆସନ୍ତା ୨୭ ତାରିଖ ମ୍ୟାଚ୍ ଉଭୟ ଦଳ ପାଇଁ ନିର୍ଣ୍ଣାୟ ହେବ ।

ସେପଟେ ନୂଆବର୍ଷ ପୂର୍ବରୁ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ଦିନରାତି ଏକ କରିଦେଇଥିବା ଦେଖିବାକୁ ମିଳିଛି । ତେବେ ଦେଶର ସ୍ପୋର୍ଟ୍ସ ହବ୍ ବା କ୍ରୀଡ଼ା ରାଜଧାନୀ ଭାବେ ଖ୍ୟାତି ଅର୍ଜନ କରିଥିବା ଭୁବନେଶ୍ୱରରେ ଫୁଟବଲ୍ ଫିଭର ଚଢ଼ିବ । ତେଣୁ କଳିଙ୍ଗ ଷ୍ଟାଡ଼ିୟମକୁ କମାଲ ଭାବେ ସାଜସଜ୍ଜା କରାଯାଉଛି । ଫୁଟବଲ୍ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିବା କଳିଙ୍ଗ ଷ୍ଟାଡ଼ିୟମର ଫଟୋରୁ ହିଁ ଜଣାପଡୁଛି ।