ଏସିଆନ୍ ଆଥଲେଟିକ ଚାମ୍ପିୟନସିପକୁ ନେଇ ଅସନ୍ତୋଷ ! ଟିକେଟ୍ ନମିଳିବାରୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡାପ୍ରେମୀଙ୍କ ହଙ୍ଗାମା

26

କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ ଚାମ୍ପିୟନସିପ୍-୨୦୧୭କୁ ଆହୁରି ୬ ଦିନ ବାକି ରହିଛି । ଧୁମଧାମରେ ଏସିଆନ ଆଥଲେଟିକ ଚାଂପିଅନସିପର ଉଦଘାଟନ କରିବାକୁ ପ୍ରସ୍ତୁତି ଚାଲିଛି । ହେଲେ ଟିକେଟ୍ କାଉଂଟରରେ ଉଦଘାଟନୀ ସମାରୋହ ପାଇଁ କ୍ରୀଡାପ୍ରେମୀଙ୍କୁ ଟିକେଟ୍ ମିଳୁ ନାହିଁ । ଆଜି ସକାଳରୁ ଧାଡି ବାନ୍ଧି କାଉଂଟର ଆଗରେ ଅପେକ୍ଷା କରିଥିବା ଲୋକେ ଟିକେଟ୍ ନ ପାଇ ହତାଶ ହୋଇଛନ୍ତି । ଅନ୍ୟପଟେ ଟିକେଟ୍ ନଥିବାରୁ ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି କର୍ତ୍ତୃପକ୍ଷ ।

ଗୋଟିଏ ପଟେ ଟିକେଟ୍ ନମିଳିବା ଓ ଅନ୍ୟପଟେ ମୁଖ୍ୟ ଫାଟକରେ ତାଲା ଝୁଲିବା ଘଟଣାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ଟିକେଟ୍ କଳାବଜାରୀ ହୋଇଥିବାରୁ ଲୋକଙ୍କୁ ଟିକେଟ୍ ମିଳୁନଥିବା ଅଭିଯୋଗରେ ଲୋକେ ନାରାବାଜି କରିଛନ୍ତି । ଅନ୍ୟପଟେ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ପ୍ରଥମ ଥର ପାଇଁ ଏଭଳି ବଡ ଧରଣର ପ୍ରତିଯୋଗିତା ଓଡିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ଓଡିଶାର ଅଗଣିତ କ୍ରୀଡା ପ୍ରେମୀଙ୍କ ମନରେ ଉତ୍ସାହ, ଉଦ୍ଦିପନା ଦେଖିବାକୁ ମିଳିଛି । ହେଲେ ଟିକେଟ୍ ନମିଳିବା ଘଟଣାକୁ ନେଇ କ୍ରୀଡାପ୍ରେମୀ ଦର୍ଶକ ହତାଶ ହୋଇଛନ୍ତି ।