୧% ସୁଧହାରରେ ଛାତ୍ରଛାତ୍ରୀଙ୍କୁ ମିଳୁନି ଶିକ୍ଷାଋଣ ! ବାଟବଣା ହେଲା କଳିଙ୍ଗ ଶିକ୍ଷା ସାଥୀ ଯୋଜନା

67

କନକ ବ୍ୟୁରୋ : ମାତ୍ର ୧% ସୁଧହାରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ । ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଲାଗି କମ୍‌ ସୁଧହାରରେ ଋଣ ପ୍ରଦାନ ଉଦ୍ଦେଶ୍ୟରେ ୨୦୧୬ ଜୁନ୍‌ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଶିକ୍ଷା ସାଥୀ ଯୋଜନା(କେଏସ୍‌ଏସ୍‌ଓ୍ଵାଇ)ର ଶୁଭାରମ୍ଭ କରିଥିଲେ । ଇତି ମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଯୋଜନାର ସୁଫଳ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିନି । ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଓ ବ୍ୟାଙ୍କଗୁଡ଼ିକର ଅସହଯୋଗ ଏହି ଯୋଜନାକୁ ବାଟବଣା କରିସାରିଲାଣି । ଫଳରେ ଅନେକ ମେଧାବୀ ଗରିବ ଛାତ୍ରଛାତ୍ରୀ ଋଣ ନେବାରୁ ବଞ୍ଚିତ ହେଉଛନ୍ତି ।

ଦେଢ଼ ବର୍ଷ ମଧ୍ୟରେ ମାତ୍ର ୨୭୦୦ ଛାତ୍ରଛାତ୍ରୀ ଏହି ଯୋଜନାରେ ୧% ସୁଧହାରରେ ଋଣ ନେଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍‌ ସାଙ୍ଗକୁ ବ୍ୟାଙ୍କଗୁଡ଼ିକର ସମୀକ୍ଷା ବୈଠକ ପରେ ବି କୌଣସି ସୁଫଳ ମିଳିନି । ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଲାଣି । ଅଭିଭାବକମାନେ ସିଧାସଳଖ ବ୍ୟାଙ୍କଗୁଡ଼ିକୁ ଦାୟୀ କରୁଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ଋଣ ଆଣିବାକୁ ଯିବା ସମୟରେ ବ୍ୟାଙ୍କଗୁଡ଼ିକ ସହଯୋଗ କରୁନାହାନ୍ତି । ଏ ନେଇ ୩ ମାସ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କଗୁଡ଼ିକୁ ଘେରାଉ କରିବା ସହ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ତଥାପି ଏହାର କୌଣସି ସୁଫଳ ମିଳିନାହିଁ ।

ଶିକ୍ଷାବିତ୍‌ମାନେ କିନ୍ତୁ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ଦାୟୀ କରିଛନ୍ତି । ସେମାନଙ୍କର କହିବା କଥା ହେଉଛି, ୧% ସୁଧହାରରେ ଋଣ ପ୍ରଦାନ ସମ୍ପର୍କରେ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଅବଗତ ହୋଇପାରି ନାହାନ୍ତି । ଅନେକ ମେଧାବୀ ଛାତ୍ରଛାତ୍ରୀ ଏବେ ବି ଉଚ୍ଚତର ଶିକ୍ଷା ଲାଗି ଅଧିକ ସୁଧହାରରେ ବ୍ୟାଙ୍କରୁ ଋଣ ନେଉଛନ୍ତି । ବ୍ୟାଙ୍କ କର୍ତୃପକ୍ଷ ସେମାନଙ୍କୁ ଅବଗତ କରାଉ ନାହାନ୍ତି ।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, କେଏସ୍‌ଏସ୍‌ଓ୍ଵାଇରେ ୨୦୧୭ ଏପ୍ରିଲ ୧ରୁ ୨୦୧୮ ଜାନୁଆରି ମାସ ମଧ୍ୟରେ ରାଜ୍ୟର ପ୍ରାୟ ୨୭୦୦ ଛାତ୍ରଛାତ୍ରୀଙ୍କୁ ୧% ସୁଧହାରରେ ବ୍ୟାଙ୍କରୁ ଶହେ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ୨୦୧୭ ଡିସେମ୍ବର ସୁଦ୍ଧା ନିମ୍ନ ଆୟ ବର୍ଗ(ବାର୍ଷିକ ୪.୫୫ ଲକ୍ଷ ଟଙ୍କା)ରେ ୧,୮୫୩ ଛାତ୍ରଛାତ୍ରୀଙ୍କୁ ୬୮ କୋଟି ୯୮ ଲକ୍ଷ ଟଙ୍କାର ଋଣ ଓ ଉଚ୍ଚ ଆୟ ବର୍ଗ(ବାର୍ଷିକ ୪.୫ ଲକ୍ଷରୁ ୬ ଲକ୍ଷ ଟଙ୍କା)ରେ ମାତ୍ର ୮୪୨ ଜଣ ଛାତ୍ରଛାତ୍ରୀଙ୍କୁ ୩୧ କେଟି ୭୭ ଲକ୍ଷ ଟଙ୍କାର ଋଣ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୧୬ ଜୁନ୍‌ ମାସରେ ଏହି ଯୋଜନା ଆରମ୍ଭ ହୋଇଥିଲା । ସେବେଠାରୁ ୨୦୧୭ ମାର୍ଚ୍ଚ ମାସ ମଧ୍ୟରେ କେତେ ଛାତ୍ରଛାତ୍ରୀଙ୍କୁ ୧% ସୁଧହାରରେ ଶିକ୍ଷା ଋଣ ଦିଆଯାଇଛି ସେନେଇ ବ୍ୟାଙ୍କଗୁଡ଼ିକ ତଥ୍ୟ ଦେଇନାହାନ୍ତି । ବିଭାଗ ପକ୍ଷରୁ ଏନେଇ ବାରମ୍ବାର ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଉଛି । ସରକାରୀସ୍ତରରେ ବି ସମୀକ୍ଷା ହୋଇଛି। କିନ୍ତୁ ବ୍ୟାଙ୍କଗୁଡ଼ିକ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଏବେ ପୁଣିଥରେ ଚିଠି ଲେଖାଯାଇ ଫେବ୍ରୁଆରି ୨୮ ସୁଦ୍ଧା ବ୍ୟାଙ୍କଗୁଡ଼ିକ ତଥ୍ୟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି । ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଆଗକୁ ନାମଲେଖା ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା କରିବାକୁ ନିଷ୍ପତ୍ତି ହୋଇଛି । ନାମଲେଖା ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ କାଉନସେଲିଂ କରିବେ । ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିବା କ୍ଷଣି ଯେପରି ଋଣ ପାଇପାରିବେ ସେନେଇ ପ୍ରାଥମିକତା ଦିଆଯିବ ।

 

ଯୋଜନା ମାଧ୍ୟମରେ ଜଣେ ଛାତ୍ର କିମ୍ବା ଛାତ୍ରୀ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ସର୍ବନିମ୍ନ ଋଣ ନେଇ ନିୟମରେ କିଛି ବି ଉଲ୍ଲେଖ କରାଯାଇ ନାହିଁ । ୭.୫ ଲକ୍ଷ ଟଙ୍କାର ଋଣ ନେଇଥିବା ଛାତ୍ରଛାତ୍ରୀ ପରିଶୋଧ ଲାଗି ୧୦ ବର୍ଷ ଓ ୧୦ ଲକ୍ଷ ଟଙ୍କାର ଋଣ ନେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ପରିଶୋଧ ସମୟ ସୀମାକୁ ୧୫ ବର୍ଷ ରଖାଯାଇଛି । ନିୟମ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଆବେଦନ କରିବେ ସେମାନେ ଓଡ଼ିଶାର ନାଗରିକ ହୋଇଥିବା ଆବଶ୍ୟକ । ୬ ଲକ୍ଷ ଟଙ୍କା ଭିତରେ ବାର୍ଷିକ ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କର ନିୟମ ଅନୁଯାୟୀ ଋଣ ଦିଆଯିବ ।