ଦୁର୍ଘଟଣା ପଛର ରହସ୍ୟ : କେମିତି ହୋଇଥିଲା କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା,ଜାଣନ୍ତୁ ପୂରା ଘଟଣା

62

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମୁଜାଫରନଗରରେ ଖତୌଲି ଠାରେ ପୂରୀରୁ ହରିଦ୍ୱାର ଯାଉଥିବା ଉତ୍କଳ -କଳିଙ୍ଗ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏବେ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୩ରୁ ଅଧିକ ମୃତାହତ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପଛର କାରଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଉତ୍ତରପ୍ରଦେଶର ସ୍ଥାନୀୟ ଗଣମାଧ୍ୟମ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଦୁର୍ଘଟଣା ହୋଇଥିବା ଟ୍ରାକରେ ୪ ଦିନ ଧରି ମରାମତି କାର୍ଯ୍ୟ ଚାଲିଥିଲା । କାର୍ଯ୍ୟ ଚାଲୁଥିବା ବେଳେ ଟ୍ରେନ ଆସିବାରୁ ଅଧା ସଜଡା ଅବସ୍ଥାରେ ମରାମତି କାର୍ଯ୍ୟ ଛାଡି ଚାଲି ଯାଇଥିଲେ ରେଳୱେ କର୍ମଚାରୀ । ତେବେ ରେଳ ବିଭାଗର ବେପାରୁଆ ମନୋବୃତ୍ତି ପାଇଁ ଏଭଳି ଦୁଖଃଦ ଘଟଣା ଘଟିଛି । ଏଟିଏସର ପ୍ରାଥମିକ ତଦନ୍ତରୁ ଆସିଛି ସାଂଘାତିକ ତଥ୍ୟ । ଏଟିଏସ୍ ରିପୋର୍ଟ ଅନୁଯାୟୀ , ଦୁର୍ଘଟଣା ମନୁଷ୍ୟକୃତ । ମନୁଷ୍ୟକୃତ ତ୍ରୁଟି ପାଇଁ ଲିଭିଯାଇଛି ୨୩ ଜୀବନ । ଅଧାପନ୍ତରିଆ କାମ ପାଇଁ ଏଭଳି ବଡ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି । ଟ୍ରାକ ଠିକ୍ ଥିଲେ ହୁଏତ ଏତେ ଗୁଡିଏ ନିରୀହ ଜୀବନ ଯାଇନଥାନ୍ତା ।

ଟ୍ରେନ ଦୁର୍ଘଟଣା ପରେ ଏଭଳି ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଲାଲୁ ଏହି ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଟ୍ରେନରେ ଓଡ଼ିଶାରୁ ୯୯ ଜଣ ଯାତ୍ରୀ ଚଢିଥିଲେ । କିନ୍ତୁ ଓଡ଼ିଆ ଯାତ୍ରୀ କେତେଜଣ ଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ । ଯେଉଁମାନଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଡଗ ସ୍କ୍ୱାର୍ଡ଼ ସହ ୟୁପି ଏଟିଏସ୍ ଟିମ ସ୍ଥିତିର ଅନୁଧ୍ୟାନ କରୁଛି । ତେବେ ଏସବୁ ଭିତରେ ଓଡ଼ିଆ ଯାତ୍ରୀଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ଗତକାଲି ଏକ ଟିମ୍ ଘଟଣାସ୍ଥଳକୁ ଯିବେ ।