ଚାଷୀଙ୍କୁ ନବୀନଙ୍କ ନୂଆବର୍ଷ ଉପହାର । ବର୍ଷର ଶେଷ ଦିନରେ କାର୍ଯ୍ୟକାରୀ ହେବ କାଳିଆ ଯୋଜନା ।

1,574

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ଦେବେ ନୂଆବର୍ଷର ଉପହାର । ବର୍ଷର ଶେଷ ଦିନରେ କାର୍ଯ୍ୟକାରୀ ହେବାକୁ ଯାଉଛି କାଳିଆ ଯୋଜନା । ଆସନ୍ତାକାଲି ସନ୍ଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ଜିଲ୍ଲା ସ୍ତରରେ ଆରମ୍ଭ ହେବ କାଳିଆ ଯୋଜନା । ସିଧାସଳଖ ଚାଷୀ ଏହି ଯୋଜନାର ଫାଇଦା ଉଠାଇବେ । କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଥିବା ସବୁଠାରୁ ବଡ ପ୍ରତିବନ୍ଧକ ଅର୍ଥାତ୍ ପାଣ୍ଠି ସମସ୍ୟା ଦୂର ହେବା ପରେ ଆସନ୍ତକାଲି ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।


ଗତ ସପ୍ତାହରେ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିଲେ ନୂଆ ଯୋଜନା ‘କାଳିଆ’। ଏଇ ବର୍ଷ ଯୋଜନା ପାଇଁ ଦରକାର ଅଛି ୧୭୩୩ କୋଟି ଟଙ୍କା। ବଜେଟ୍‌ରେ ଏଥି ପାଇଁ ଟଙ୍କା ନାହିଁ କି ନୂଆ ବଜେଟ୍‌କୁ ଅପେକ୍ଷା କରି ହେବନି। ସେଥି ନିମନ୍ତେ ଏହି ଟଙ୍କା ‘ଓଡ଼ିଶା ଆକସ୍ମିକ ପାଣ୍ଠି’ରୁ ଭରଣା ହେବ। ୪୦୦ କୋଟିର ଏହି ପାଣ୍ଠିର ପରିମାଣ ୧୬୦୦ ‌କୋଟିକୁ ବୃଦ୍ଧି କରିବାକୁ ସରକାର ଅଧ୍ୟାଦେଶ ଆଣିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।
ଚାଷୀଙ୍କ ପାଇଁ ନବୀନ ସରକାର କାଳିଆ ସ୍କିମର ଘୋଷଣା କରିଥିଲେ । ୧୦ ହଜାର କୋଟିର ଏହି ପ୍ୟାକେଜରେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ଉପକୃତ ହେବାକୁ ଯାଉଛନ୍ତି । କାଳିଆ ସ୍କିମରେ ୫ଟି ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏହି ସ୍କିମ ମାଧ୍ୟମରେ ୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ । ଏହାଛଡା ଏହି ସ୍କିମରେ ଖରିଫ ଓ ରବି ଚାଷ ପାଇଁ ଚାଷୀ ପରିବାରକୁ ମିଳିବ ୧୦ ହଜାରର ସହାୟତା ମିଳିବ । ଜମିର ମାଲିକ ନୁହେଁ ବରଂ ଭାଗ ଓ ପ୍ରକୃତ ଚାଷୀ ଏହାର ଫାଇଦା ପାଇବେ ।

ଏହାଛଡା କାଳିଆ ଯୋଜନାରେ ବୟସ୍କ ଚାଷୀ ଓ ଭୂମିହୀନ ଚାଷ ଶ୍ରମିକଙ୍କ ପାଇଁ ସହାୟତା ଦେବେ ସରକାର । ଏମାନଙ୍କୁ ଜୀବନ ନିର୍ବାହ ପାଇଁ ବର୍ଷକୁ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ଦେବେ ସରକାର । ଗ୍ରାମପଞ୍ଚାୟତ ସ୍ତରରେ ପ୍ରକୃତ ହିତାଧୀକାରୀଙ୍କୁ ଚିହ୍ନଟ କରାଯାଇ ଏହି ସହାୟତା ପ୍ରଦାନ କରାଯିବ । ଆଗାମୀ ଦୁଇ ବର୍ଷରେ ୧୦ ଲକ୍ଷ ପରିବାର ପାଇଁ ଏ ବାବଦରେ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।

କୃଷକଙ୍କ ପାଇଁ କାଳିଆ ଯୋଜନା ଖୁସି ଆଣିଛି । ଏହି ଯୋଜନାରେ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବେ ସରକାର । ଏହାଦ୍ୱାରା ୫୭ ଲକ୍ଷ ପରିବାର ଏହାର ଫାଇଦା ଉଠାଇ ପାରିବେ ।

ଏହି ଯୋଜନାରେ ଚାଷୀ ମାନେ ଆଉ ଏକ ଫାଇଦା ମଧ୍ୟ ପାଇପାରିବେ । ଏଣିକି ଚାଷୀଙ୍କୁ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦିଆଯିବ । ଏଥିପାଇଁ ଆଗାମୀ ତିନିବର୍ଷ ମଧ୍ୟରେ ୧୦,୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । କାଳିଆ ଯୋଜନାରେ ପ୍ରାୟ ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।