ମୋଦିଙ୍କ ‘କିଷାନ’କୁ ନବୀନ ସମାଲୋଚନା ! କହିଲେ, କେନ୍ଦ୍ର ଯୋଜନାରେ ନାହିଁ ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନର ଭାଗ, ସାରା ଦେଶକୁ ବାଟ ଦେଖାଇଛି ‘କାଳିଆ’ । 

198

କନକ ବ୍ୟୁରୋ : କାଳିଆ ଯୋଜନାକୁ ପ୍ରଶଂସା, କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସମାଲୋଚନା । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଆଜି ପୁଣି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କାଳିଆ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାରେ କିଛି ନାହିଁ । ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ବୌଦ୍ଧ ଓ ଭଂଜନଗର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସାରା ଦେଶକୁ ବାଟ ଦେଖାଇଛି ‘କାଳିଆ’ । କେନ୍ଦ୍ର ସରକାରଙ୍କ ଯୋଜନାରେ କିଛି ନାହିଁ । ବୌଦ୍ଧ ମାଟିରେ କାଳିଆକୁ ପ୍ରଶଂସା, କିଷାନକୁ ସମାଲୋଚନା । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଐତିହାସିକ ପଦକ୍ଷେପ । ଛୋଟ ଚାଷୀ, ଭାଗ ଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ସହାୟତା ଦିଆଯାଇଛି । ହେଲେ ଦୁଃଖର କଥା, କେନ୍ଦ୍ର ସରକାରଙ୍କ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନ ଚାଷୀଙ୍କ ପାଇଁ କିଛି ନାହିଁ ।

ଦିନିକିଆ ବୌଦ୍ଧ ଓ କଂଟାମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୯୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । କଂଟାମାଳରେ ୧୧୬ କୋଟି ଟଙ୍କାରେ ନିର୍ମିତ ୪୫ଟି ଜନହିତକରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୩୧୦ କୋଟି ୫୯ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ବୌଦ୍ଧରେ ୭୬ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପର ଉଦଘାଟନ ଓ ୪୬୭ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭଂଜନଗର ପାଇଁ ୧୦୮ ଲକ୍ଷର ଭେଟି । ୩ଟି ପ୍ରକଳ୍ପର ଉଦଘାଟନ, ୨୪ଟିର ଭିତ୍ତିପ୍ରସ୍ତର ସ୍ଥାପନ । ବୌଦ୍ଧ ଓ କଂଟାମାଳ ପରେ ଭଂଜନଗରରେ ବି କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ସମାଲୋଚନା କରିଛନ୍ତି । ଭଂଜନଗରରେ ୨୧ କୋଟି ୨୬ ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ଏଥିସହ ୮୬ କୋଟି ୬୯ ଲକ୍ଷ ଟଙ୍କାର ୨୪ ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।