କଣ୍ଟିଜେନ୍ସି ଫଣ୍ଡ ନେଇ ବିଜେଡିର କାଉଣ୍ଟର ଆଟାକ୍ । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଫଣ୍ଡରୁ ଟଙ୍କା ଦେଲାବେଳେ କାହିଁକି ଚୁପ୍ ଥିଲେ ବିରୋଧୀ ।

ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ କଣ୍ଟିଜେନ୍ସି ଫଣ୍ଡକୁ ଅଧ୍ୟାଦେଶ ମାଧ୍ୟମରେ ୪ଶହରୁ ୧୪ଶହ କୋଟିକୁ ବୃଦ୍ଧି କରିଛନ୍ତି ।

736

କନକ ବ୍ୟୁରୋ: ‘କାଳିଆ’ ଯୋଜନାରେ କଂଟିଜେନ୍ସୀ ଫଣ୍ଡ ପାଣ୍ଠିକୁ ନେଇ ବିରୋଧୀଙ୍କ କେଁ । ଆପଦକାଳୀନ ସ୍ଥିତିରେ ବ୍ୟବହାର ହେଉଥିବା ପାଣ୍ଠିକୁ ଉଠାଇ ‘କାଳିଆ’ ଯୋଜନାରେ ଖର୍ଚ୍ଚ କରିବା ନେଇ ଆପତି ଉଠାଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ବିରୋଧୀଙ୍କ ଅଭିଯୋଗ ଯେ, ପାଖରେ ଟଙ୍କା ନଥାଇ ଅସାମ୍ବିଧାନିକ ଭାବେ ଆପାତକାଳୀନ ପାଣ୍ଠିରୁ ଟଙ୍କା ଆଣି ଭୋଟ୍ ରାଜନୀତି କରୁଛନ୍ତି ସରକାର । ଏହାପରେ ଆରମ୍ଭ ହୋଇଛି ଶାସକ ବିରୋଧୀଙ୍କ ମଧ୍ୟରେ ତୁତୁ ମେ ମେ ।

କୃଷକଙ୍କ ପାଇଁ ସବୁଠାରୁ ବଡ ଯୋଜନା ‘କାଳିଆ’ ପାଇଁ କଂଟିଜେନ୍ସୀ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ବିଜେପି ଓ କଂଗ୍ରେସ ବିରୋଧକୁ ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ କଣ୍ଟିଜେନ୍ସି ଫଣ୍ଡକୁ ଅଧ୍ୟାଦେଶ ମାଧ୍ୟମରେ ୪ଶହରୁ ୧୪ଶହ କୋଟିକୁ ବୃଦ୍ଧି କରିଛନ୍ତି । ସେଥିରୁ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୭୫୬ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ କରାଯାଇଥିଲା । ଏବଂ ସେହିସମୟରେ ଉଭୟ କଂଗ୍ରେସ ଓ ବିଜେପି କୌଣସି ଆପତ୍ତି ଉଠାଇନଥିଲେ । କିନ୍ତୁ ଏବେ ଓଡ଼ିଶାର ୩୦ ଲକ୍ଷ ଚାଷୀଙ୍କ ହିତ ପାଇଁ କାଳିଆ ଯୋଜନାର ଅର୍ଥ ଯେତେବେଳେ କଣ୍ଟିଜେନ୍ସି ଫଣ୍ଡରୁ ପ୍ରଦାନ କରାଗଲା ତାକୁ ନେଇ ବିରୋଧୀ ଦଳମାନେ ସାମଲୋଚନା କରୁଛନ୍ତି । ଏହା ଉଭୟ ବିଜେପି ଓ କଂଗ୍ରେସର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି ।

bijepurବିଜେଡ଼ି କହିବା ମୁତାବକ, କଣ୍ଟିଜେନ୍ସି ଫଣ୍ଡ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଥାଏ ଏବଂ ରାଜ୍ୟର ହିତ ପାଇଁ ଖର୍ଚ୍ଚ କରାଯାଏ । ବିରୋଧୀ ଦଳମାନେ ଯେଉଁ ଅପପ୍ରଚାର କରୁଛନ୍ତି ଯେ ଏହି ପାଣ୍ଠି ଆପତ୍ତକାଳୀନ ପରିସ୍ଥିତି ପାଇଁ ବ୍ୟବହାର କରାଯାଏ ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ବନ୍ୟା, ବାତ୍ୟା ମରୁଡ଼ି କିମ୍ବା ପ୍ରାକୃତିକ ଦୁର୍ବିପାକ ପାଇଁ ଏସଡ଼ିଆରଏଫକୁ ବ୍ୟହୃତ କରାଯାଏ । ଯଦି କିଛି ନିଅଣ୍ଟ ପଡ଼େ ତେବେ କେନ୍ଦ୍ର ସରକାରଙ୍କ ଏନଡ଼ିଆରଏଫ ପାଣ୍ଠିରୁ ମଧ୍ୟ ଖର୍ଚ୍ଚ କରାଯାଏ । ତେଣୁ କାଳିଆ ଯୋଜନାରେ କଣ୍ଟିଜେନ୍ସି ଫଣ୍ଡର ବ୍ୟବହାର ନେଇ ବିରୋଧୀ କଂଗ୍ରେସ ଓ ବିଜେପିଙ୍କ ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ତେବେ ଚାଷୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ‘କାଳିଆ’ ଯୋଜନାରେ ଆଗାମୀ ତିନି ବର୍ଷରେ ମୋଟ୍ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗୋଟିଏ ପଟେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଦେଶର ଅନ୍ୟ ରାଜ୍ୟଗୁଡିକ ପାଇଁ ମାର୍ଗଦର୍ଶକ ହେବ ବୋଲି ବିଜେଡି ଦାବି କରୁଛି । ଅନ୍ୟପଟେ ଯୋଜନା ପାଇଁ ଟଙ୍କା ନଥିବା ବେଳେ ଆକସ୍କିକ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବା ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।