ଆସନ୍ତା ୨୬ରେ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଯୋଜନାର ପ୍ରଥମ ଟଙ୍କା ! ସୂଚନା ଦେଲେ କୃଷିମନ୍ତ୍ରୀ ଶଶୀଭୂଷଣ ବେହେରା

723

କନକ ବ୍ୟୁରୋ : ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କାଳିଆ ଯୋଜନାର ପ୍ରଥମ ଟଙ୍କା ଚାଷୀଙ୍କ ଆକାଉଂଟକୁ ଯିବ । ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ । ୧୨ ଲକ୍ଷ ୪୫ ହଜାର ଲୋକଙ୍କ ପାଖକୁ ଯିବ ଟଙ୍କା । କାଲି ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ପୁରୀରେ ଆୟୋଜିତ କାଳିଆ ସମାବେଶରେ ଏହି ଯୋଜନାର ଶୁଭାରମ୍ଭ ହେବ । କୃଷକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ରାଜ୍ୟ ସୁବବର୍ଗର ଚାଷୀ ଉପକୃତ ହୋଇପାରିବେ । ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ଏହି କାଳିଆ ଯୋଜନାରେ ସାମିଲ ହୋଇଛନ୍ତି । କାଳିଆ ଯୋଜନାରେ ସହାୟତା ପାଇବା ପାଇଁ ଚାଷୀଙ୍କ ଆବେଦନ ମଧ୍ୟ ସରିଛି । ଏବେ ୨୬ ତାରିଖରେ ସରକାର ଚାଷୀଙ୍କୁ ପ୍ରଥମ କାଳିଆ ଟଙ୍କ ଯିବ ।

ସୂଚନାଯୋଗ୍ୟ, ‘କାଳିଆ’ ଯୋଜନାରେ ସାମିଲ୍ ହେବା ଲାଗି ୬୬ ଲକ୍ଷ ଲୋକ ସବୁଜ ଫର୍ମରେ ଆବେଦନ କରିଛନ୍ତି । ଆବଶ୍ୟକ ତନଖି କରି ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ତାଲିକା ପ୍ରକାଶ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ପାଇଁ ଜାନୁଆରି ୨୫ ତାରିଖରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ପଞ୍ଚାୟତ ସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ ।  ଏହା ଛଡ଼ା ନିର୍ଦ୍ଧାରିତ ଫର୍ମରେ ମଧ୍ୟ ଆବେଦନ ଓ ଅଭିଯୋଗ ଗ୍ରହଣ କରାଯିବ ।

ଏହି ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକମାନଙ୍କୁ ସହାୟତା ଦିଆଯାଉଛି । ପାଞ୍ଚଟି କିସ୍ତିରେ ଚାଷୀମାନଙ୍କୁ ୨୫ ହଜାର ଟଙ୍କା ମିଳିବ । ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବର୍ତ୍ତମାନ ସେବାରତ ଥିବା ସରକାରୀ ଓ ସାଧାରଣ ଆୟୋଗ ଆଦିର କର୍ମଚାରୀଙ୍କ ନାମ କାଳିଆ ଯୋଜନାର ତାଲିକାରୁ ବାଦ୍ ଦେବା ପାଇଁ ନୀରିକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀମାନଙ୍କୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି ।