ଅଯୋଗ୍ୟଙ୍କୁ ମିଳିବନି ‘କାଳିଆ’ ଟଙ୍କା : ଆରମ୍ଭ ହେଲା ସଂଶୋଧନ ପ୍ରକ୍ରିୟା, ତ୍ରୁଟି ହେଲେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ

1,116

କନକ ବ୍ୟୁରୋ : କାଳିଆ ଯୋଜନାରେ ସାମିଲ ହୋଇଥିଲେ ବି ନାମ କଟିପାରେ । ଯଦି ହିତାଧିକାରୀ ଯୋଗ୍ୟ ବିବେଚିତ ହେଉ ନ ଥିବେ, ତେବେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ । ଅଗଷ୍ଟ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିବ । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଗତକାଲି ଏହ‌ି ସୂଚନା ଦେଇଛନ୍ତି ।

ଆଜି ପୂର୍ବାହ୍ନରେ କୃଷି ଭବନରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ‘କାଳିଆ’ ଯୋଜନା ନେଇ ଏକ କର୍ମଶାଳା‌ ଆୟୋଜନ କରାଯାଇଥିଲା । ହିତାଧିକାରୀ ଚୟନ ଦାୟିତ୍ବରେ ଥିବା ଅଧିକାରୀମାନେ ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ସୂତ୍ରକୁ ଆପଣାଇ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଅରୁଣ କୁମାର ନିର୍ଦ୍ଦେଶ ଦେଇଥିଲେ । ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ, ତେବେ ସେଥି ପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ ।

ଶ୍ରୀ ସାହୁ କହିଥିଲେ, ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ସିଧାସଳଖ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାଳିଆ ଯୋଜନା ପରି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ଏ ପର୍ଯ୍ୟନ୍ତ ସରକାର ୩୬.୩୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୪.୭୦ ଲକ୍ଷ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ତେବେ ଏହି ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଏହା ସହିତ କିଛି ଗ୍ରାମପଞ୍ଚାୟତ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର ବହୁ କମ୍ ସଂଖ୍ୟାରେ ଦରଖାସ୍ତ କରିଥିବାରୁ ଏ ଦିଗରେ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି । ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୃଷି, ରାଜସ୍ବ, ସମବାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସମେତ ଅନ୍ୟ ସହଯୋଗୀ ବିଭାଗ ମଧ୍ୟରେ ସମନ୍ବୟ ରଖି ପ୍ରକୃତ ହିତାଧିକାରୀ ଚିହ୍ନଟ ଓ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ।

ଏହା ସହ କାଳିଆ ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ, ସେ ଦିଗରେ କ୍ଷେତ୍ର ଅଧିକାରୀମାନେ ତଦାରଖ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । କାଳିଆ ଯୋଜନାର ଆଗାମୀ ଦିନରେ ସୁଦୂର ପ୍ରଭାବ ପଡ଼ିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଷଲ। ମତ୍ସ୍ୟ ନିର୍ଦ୍ଦେଶକ ରତ୍ନାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।