ଓଡିଶାରେ କ’ଣ ରହିଛି କାଳୀପୂଜାର ବିଶେଷତ୍ୱ?

76

କନକ ବ୍ୟୁରୋ : ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟେକ ମାସରେ କେଉଁ ଦେବତା ଓ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ ତାହାର ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ସାରା ରାଜ୍ୟରେ କାଳୀପୂଜା ଆଡମ୍ବରର ସହ ପୂଜା ହେଉଥିଲେ ମଧ୍ୟ ଯାଜପୁର ଓ ଭଦ୍ରକରେ କାଳୀପୂଜା ନିଆରା ଢଙ୍ଗରେ ହୋଇଥାଏ । ଏହାସହ କଟକରେ ମଧ୍ୟ ପୂଜା ଧୁମଧାମରେ ପାଳନ କରାଯାଏ । ଆମେ ଯଦି ଯାଜପୁରର କଥା କହିବା ତେବେ ବର୍ତମାନ ସମୟରେ ପ୍ରାୟତଃ ୫୦ ରୁ ଉର୍ଦ୍ଧ୍ୱ ପ୍ରତିମା ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ସମୟରେ ଭଦ୍ରକରେ ମଧ୍ୟ ଅନେକ ଗୁଡିଏ ପ୍ରତିମା ପୂଜା କରାଯାଏ । କାଳୀଙ୍କ ଯେଉଁ ପ୍ରତିମା ପୂଜା ପାଏ ତାହା ମଧ୍ୟ ୨ ଭାଗରେ ରହିଛି ବୋଲି ଅନେକ ଲୋକ କହନ୍ତି । ସେମାନଙ୍କ ମତରେ କାଳୀ ମୂର୍ତୀ ମାନସିକ ଓ ତାମସିକ ଏପରି ୨ ଭାଗରେ ପୂଜା କରାଯାଏ ।

 

ତାମସିକ କହିଲେ ଯେଉଁ କାଳୀ ନୀଳବର୍ଣ୍ଣ ହୋଇଥାଏ ବା କୌଣସି ବ୍ୟକ୍ତି ଏହି ପୂଜା ଆରମ୍ଭ କରିନଥାଏ ତାହାକୁ ତାମସିକ କୁହାଯାଉଥିବା ବେଳେ ପୀଠରେ ରାଜତନ୍ତ୍ର ବା ଜମିଦାରୀ ସମୟରେ ଯେଉଁ ପ୍ରତିମା ପୂଜା ଆରମ୍ଭ ହୋଇଛି ତାହାକୁ ମାନସିକ ବା ଆଦ୍ୟ କାଳୀ ବୋଲି ଲୋକମାନେ କହନ୍ତି । ଆଦ୍ୟକାଳୀ ବର୍ତମାନ ସମୟରେ ଯାଜପୁରର ଗୁଆମାଳ, ଅଙ୍ଗାଳ, ମାଳ ଓ ବ୍ରାହ୍ମଣୀପାଳ ଏହି ୪ ସ୍ଥାନରେ ଆଦ୍ୟ କାଳୀପୂଜା ହୋଇଥାଏ । ଏହି ପ୍ରତିମା ପାଖରେ କୌଣସି ଚାମୁଣ୍ଡା ବା ଯୋଗୀନି ରହନ୍ତି ନାହିଁ । କେବଳ ଅଶୁରଙ୍କ ମୁଣ୍ଡମାଳ, ହାତମାଳ ଓ କଟା ହାତ ମାଳ ପିନ୍ଧିଥାଆନ୍ତି ମା’ ।

 

ତେବେ ଏହାସହ ଶ୍ମଶାନରେ ପୂଜା ପାଉଥିବା କାଳୀଙ୍କୁ ଶ୍ମଶାନ କାଳୀ ମଧ୍ୟ କହନ୍ତି । ଏହାସହ ଶ୍ରୀକ୍ଷେତ୍ରରେ ସ୍ୱୟଂ ଭଗବାନ ଜଗନ୍ନାଥ ନିଜ ପିତୃପୁରୁଷଙ୍କୁ ୨୨ ପାହାଚରେ ପିଣ୍ଡ ଦାନ କରିବାର ବିଦ୍ଧି ରହିଛି । ଅମାବାସ୍ୟା ରାତିରେ ବାଣଫୁଟା ସରିବା ପରେ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବଡବଡିଆ ମାନଙ୍କୁ ଡାକିଥାଆନ୍ତି । ଏହାପରେ କାଳୀପୂଜାର ନୀତି ସମାପ୍ତ ହୋଇଥାଏ । କିନ୍ତୁ ପୀଠରେ ମା’ଙ୍କର ପୂଜାର୍ଚ୍ଚନା ଯଥାବିଧି ଅନୁସାରେ ହୋଇଥାଏ । ଯେପରି କଳସ ବୁଡା, ଘଟ ସ୍ଥାପନ, ଜୀବଦାନ, ଚକ୍ଷୁଦାନ ଓ କନ୍ୟାଦାନ ଭଳି ଶାସ୍ତ୍ର ଅନୁସାରେ ପୂଜାର୍ଚ୍ଚନା ହୋଇଥାଏ । ତେବେ ଓଡିଶାର ବିଭିନ୍ନ ଜିଲ୍ଲାରେ ଦୀପାବଳୀ ବା କାଳୀପୂଜା ପାଳନ କରାଯାଇଥାଏ ।