କଳାହାଣ୍ଡି ଧାନ ମଣ୍ଡିରେ ଅବ୍ୟବସ୍ଥା ! ପଡିରହିଛି ଶହଶହ କ୍ୱିଂଟାଲ ଧାନ

33

କନକ ବ୍ୟୁରୋ : ଧାନ ମଣ୍ଡିରେ ପଡିରହିଛି ଶହଶହ କ୍ୱିଂଟାଲ ଧାନ । କଳାହାଣ୍ଡି ଜିଲ୍ଲାରେ ବିଳମ୍ବରେ ମଣ୍ଡି ଖୋଲିବା ପରେ କାଂଟଛାଂଟରେ ହନ୍ତସନ୍ତ ହେଉଥିଲେ ଚାଷୀ । ଏବେ ଟାର୍ଗେଟ ଆଳରେ ଧାନଉଠାଣ ଠିକଭାବରେ ହେଉନଥିବାରୁ ୭ ଦିନହେଲା ଶିତକାକରେ ମଣ୍ଡିରେ ପଡିରହିଛି ଚାଷୀ । କଳାହାଣ୍ଡି ଜିଲ୍ଲାର କୋକସରାର ଓ କାଶିବାହାଲ ଧାନ ମଣ୍ଡିରେ ଶତାଧିକ ଚାଷୀଙ୍କ ଶହଶହ ବସ୍ତା ଧାନ ପଡିରହିଥିବାବେଳେ ଜାଡର ପ୍ରକୋପରେ ଚାଷୀର ନିଦ ହଜିଯାଇଛି । କୋକସରା ବ୍ଳକରେ ୬ଟି ପେକ୍ସ ଜରିଆରେ ଗତ ନଭେମ୍ବର ମାସ ଦ୍ୱତୀୟ ସପ୍ତାହରୁ ଧାନକିଣା ଆରମ୍ଭ କରାଯାଇଥିଲ ।

ହେଲେ ସେହି ସମୟରେ ଆଦ୍ରତା ନାଁରେ ମିଲର୍ସମାନେ ଚାଷୀଙ୍କୁ କଟନିଛଟନି ପାଇଁ ଏକପ୍ରକାର ବାଧ୍ୟ କରିଥିଲେ । ଏବେ ଟାର୍ଗେଟ ଆଳରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ମସୁଧା ଚାଲିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ବର୍ତମାନ ପରିସ୍ଥିତିରେ କୋକସରା ମଣ୍ଡିରେ ୩ ହଜାର ୫ଶହ କ୍ୱିଂଟାଲ ଧାନ ପଡି ରହିଛି । ସେହିପରି କାଶିବାହାଲ ମଣ୍ଡିରେ ୧ହଜାର କ୍ୱିଂଟାଲ, ଫୁପ ଗାଁ ମଣ୍ଡିରେ ୫ଶହ କ୍ୱିଂଟାଲ ଧାନ ପଡିରହିଛି । ହେଲେ ଟାର୍ଗେଟ ନଥିବା ଦର୍ଶାଇ ପ୍ୟାକ୍ସ ଧାନ କିଣିବାକୁ ମନା କରୁଥିବା ଅଭିଯୋଗ ହୋଇଛି । ପ୍ରବଳ ଶୀତରେ ଚାଷୀ ଗତ ୭ ଦିନ ହେଲା ମଣ୍ଡିରେ ଧାନକୁ ଜମି ରହିଛି । ତେବେ ପୁଣି ମିଲ ଗୁଡିକୁ ଟାର୍ଗେଟ ଦିଆଯାଇଛି ଏବଂ ଡିମାଣ୍ଡ ଦେଖି ଟାର୍ଗେଟ ବଢ଼ାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।