ମହାନଦୀ ପାଣି ଅଟକାଇଛି ଛତିଶଗଡ : କଲମା ବ୍ୟାରେଜରେ ସତ ପରଖିଲା କନକ ନ୍ୟୁଜ୍,୬୬ଟି ମଧ୍ୟରୁ ୬୫ଟି ଗେଟ୍ ବନ୍ଦ

76

କନକ ବ୍ୟୁରୋ : କଲମା ବ୍ୟାରେଜର ଗେଟ୍ ବନ୍ଦ ଅଛି ନା’ ଖୋଲା ଅଛି, ତାକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମୁହାଁମୁହିଁ । ଛତିଶଗଡ଼ କହୁଛି ଗେଟ୍ ଖୋଲା ଅଛି, କିନ୍ତୁ କନକ ନ୍ୟୁଜ୍ ଯେଉଁ ଚିତ୍ର ଦେଖାଉଛି ଏବଂ ଗ୍ରାଉଣ୍ଡ ଜିରୋରୁ ଯେଉଁ ତଥ୍ୟ ସଂଗ୍ରହ କରିଛି, ସେଥିରେ ସ୍ପଷ୍ଟ ସୂଚନା ମିଳୁଛି ୬୫ଟି ଗେଟ୍ ବନ୍ଦ ରହିଛି ।

ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ କଲମା ବ୍ୟାରେଜର ଗେଟ୍ ଖୋଲିବା ନେଇ ଚିଠି ଲେଖିଥିଲେ ଏବଂ ଛତିଶଗଡ଼ର ଏହି ଏକତରଫା ନିଷ୍ପତ୍ତି ଫଳରେ ଓଡିଶାର ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ ଜିଲ୍ଲାରେ ପିଇବା ପାଣି ପାଇଁ ସଂକଟ ଦେଖାଦେଇଥିବା ଲେଖିଥିଲେ । ତେବେ ଛତିଶଗଡ଼ କହିଥିଲା କୌଣସି ଗେଟ୍ ବନ୍ଦ କରାଯାଇ ନାହିଁ । ସତ କଣ ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଂଚିଥିଲା କନକ୍ ନ୍ୟୁଜ୍ କ୍ୟାମେରା ଟିମ୍ । ଆଉ ସାମ୍ନାକୁ ଆସିଛି ସାଂଘାତିକ୍ ତଥ୍ୟ ।

କନକ ନ୍ୟୁଜ୍ କ୍ୟାମେରା କଏଦ କରିଛି ଛତିଶଗଡ଼ର ମିଛ । କଲମା ବ୍ୟାରେଜର ୬୫ ଟି ଗେଟ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ବେଳେ ମାତ୍ର ଗୋଟିଏ ଗେଟ୍ର ଅଧା ଖୋଲା ରହିଛି । ଯେଉଁଥିରୁ ମାତ୍ର ୨ଶହ ଏମ୍ଏମ୍ ପାଣି ଛଡ଼ା ଯାଉଛି । ଓଡ଼ିଶାକୁ ପିଇବା ପାଇଁ ପାଣି ଛାଡୁନଥିବା ଛତିଶଗଡ଼ କିନ୍ତୁ କଂପାନୀଙ୍କୁ ପାଣି ଦେବା ପାଇଁ ସବୁ ସୀମା ଟପି ଯାଇଛନ୍ତି ।

– ମୋଟେନ୍ ଇସ୍ପାତ ଆଣ୍ଡ ଏନର୍ଜି   – ୯.୯୬ ମିଲିୟନ ଘନ ମିଟର
– ଜିନ୍ଦଲ ପାୱାର                  -୭୦ ମିଲିୟନ ଘନ ମିଟର
-ଡି.ବି ପାୱାର                    -୪୦ ମିଲିୟନ ଘନ ମିଟର
-କୋରବା ବେଷ୍ଟ ପାୱାର           -୩୫ ମିଲିୟନ ଘନ ମିଟର
-ଜେ.ଏସ୍ ଡବ୍ଲୁ ଏନର୍ଜି              -୫୩ ମିଲିୟନ ଘନ ମିଟର
-ଟାପବର୍ଥ ଲିମିଟେଡ୍               -୨୩ ମିଲିୟନ ଘନ ମିଟର
-ମହାବୀର ଗ୍ଲୋବାଲ             -୯.୫୭ ମିଲିୟନ ଘନ ମିଟର
-ମହାବୀର ଏନର୍ଜି                -୧.୧୨ ମିଲିୟନ ଘନ ମିଟର

ଏହି ସବୁ କଂପାନୀ ମଧ୍ୟରେ ମୋଟେନ୍ ଇସ୍ପାତ ଆଣ୍ଡ ଏନର୍ଜି ଏବଂ ଡିବି ପାୱାର ଲିମିଟେଡକୁ ଜଳ ଯୋଗାଣ ଆରମ୍ଭ କରି ସାରିଛି ଛତିଶଗଡ଼ ସରକାର । ଆଉ ଏବେ ଛତିଶଗଡ଼ କହୁଛି-ପ୍ରସ୍ତାବିତ ୮ଟି କଂପାନୀରୁ ୪ଟି କଂପାନୀକୁ ପାଣି ଦେବ । ଏତିକିରେ କଥା ସରିନି । କଲମା ବ୍ୟାରେଜର ଉପରମୁଣ୍ଡରେ ନିର୍ମାଣ ହେଉଛି ଆହୁରି ୫ଟି ବ୍ୟାରେଜ୍ । ଯେଉଁଥିରୁ ମିରୋନି ଓ ମସୁଧା ବ୍ୟାରେଜରେ ମଧ୍ୟ ଗେଟ୍ ବନ୍ଦ ରହିଛି । ଯାହା ଫଳରେ କଲମା ବ୍ୟାରେଜକୁ ମଧ୍ୟ ଜଳ ପ୍ରବାହ କମିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –