କଳାହାଣ୍ଡିର ମହିଳା ଚାଷୀ ଲୋପାମୁଦ୍ରା ! ଚକଡାର ଚକ୍ରବ୍ୟୁହ ଭିତରେ ଦେଖାଇଲେ ବଂଚିବାର ରାହା

115

କନକ ବ୍ୟୁରୋ : ଚକଡାର ଚକ୍ରବ୍ୟୁହରେ ଓଡିଶାର ଚାଷୀ ଛଟପଟ ହେଉଥିବା ବେଳେ ଘରକୋଣରେ ନବସି ଜଣେ ମହିଳା ହାତରେ କୋଡି ଧରିବାକୁ ବାଧ୍ୟ ହୋଇଛନ୍ତି । ସାମାନ୍ୟ ସଂଘର୍ଷରେ ଓଡିଆ ପୁଅ ବାଟ ହୁଡି ଆତ୍ମହତ୍ୟା ଭଳି ପଥ ଆପଣାଉଥିବା ବେଳେ ଆଗକୁ ଆସିଛନ୍ତି କଳାହଣ୍ଡିର ଜଣେ ମହିଳା ଚାଷୀ ।

ଅନାବୃଷ୍ଟି ଓ ଚକଡାରେ ଫସଲ କ୍ଷତି ହେଉଥିବାରୁ ରାଜ୍ୟରେ ଅନେକ ଚାଷୀ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କଲମପୁର ବ୍ଲକ ଘର୍ଲା ଗାଁର ଲୋପାମୁଦ୍ରା ଲହଜଲ । ବୟସ ୩୦ ବର୍ଷ । ତା ସହ ବିବାହିତା ମଧ୍ୟ । ପରିବାର ସାଙ୍ଗକୁ ଚାଷର ବୋଝ ତାଙ୍କୁ ଭାଂଗିଦେଇନାହିଁ । ପାରମ୍ପରିକ ଚାଷ ନକରି ନିଜର ସୀମିତ ଜମିରେ ଅତ୍ୟାଧୁନିକ ପଦ୍ଧତିରେ ପନିପରିବା ଓ କଦଳୀ ଚାଷ କରି ନିଜ ଅଂଚଳରେ ଜଣେ ସଫଳ ଚାଷୀ ଭାବେ ସଫଳତା ପାଇଛନ୍ତି ।

ଲୋପାମୁଦ୍ରାଙ୍କର ମାତ୍ର ୫୦ ଡେସିମିଲ ଜମି । ସେ ଭାବିଲେ ଧାନ ଚାଷ କଲେ ପରିବାର ଚଳାଇବା ସମ୍ଭବ ନୁହେଁ । ତେଣୁ ଉଦ୍ୟାନ କୃଷି ବିଭାଗ ଦ୍ୱାରା ରିହାତି ଦରରେ ବିହନ କିଣି ବାଇଗଣ ଚାଷ କରିଥିଲେ । ବାଇଗଣ ବିକ୍ରିକରି ଲୋପାମୁଦ୍ରା ଗୋଟିଏ ସିଜିନରେ ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି । ଏବେ କେବଳ ବାଇଗଣ ନୁହେଁ, ଲଙ୍କା, କୋବି , ଟମାଟୋ ଚାଷ କରି ନିଜକୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି ।

କୃଷି ବିଭାଗ ତରଫରୁ ବିଭିନ୍ନ ପ୍ରକାର ତାଲିମ ନେଇ ଆଧୁନିକ ପ୍ରଣାଳୀରେ ଚାଷ କରୁଛନ୍ତି ଲୋପା । ବୃନ୍ଦା ଜଳସେଚନ ଦ୍ୱାରା ଅଳ୍ପ ପାଣି ବ୍ୟବହାର ସହ ଉପଯୁକ୍ତ ସାର ଓ ଭଲ କୀଟନାଶକ ବ୍ୟବହାର କରି କେବଳ ଖର୍ଚ୍ଚ କାଟ କରିନାହାନ୍ତି ବରଂ ଅଳ୍ପ ବ୍ୟୟରେ ଅଧିକ ଲାଭ ଉପାର୍ଜନ କରିପାରୁଛନ୍ତି । ବର୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି କୃଷି ଶ୍ରମିକ । ସେ କିନ୍ତୁ ଏଥିରେ ଡରି ନଯାଇ ନିଜେ ଜମିରେ ପାଂଚଘଂଟା କାମ କରୁଛନ୍ତି । ଏଭଳି ଜଣେ ମହିଳାଙ୍କ ପରିଶ୍ରମରେ ଅନୁପ୍ରାଣିତ ହୋଇଛନ୍ତି ତାଙ୍କ ଅଂଚଳର ଅନେକ ଚାଷୀ ।

ଓଡିଶା ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ଲୋପାମୁଦ୍ରା ପିଆଜ ଚାଷ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତା ସହ ଟମାଟୋ , ପିଆଜ, ଝୁଡଙ୍ଗ, ବିନସ ଓ ଜହ୍ନି ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରତି ମିନିଟରେ ସରକାରଙ୍କ କୃଷି ବିଭାଗ ସହ ଯୋଗାଯୋଗ କରି ଆଧୁନିକ ପ୍ରଣାଳୀରେ ଚାଷ କରିବା ଦ୍ୱାରା ଲାଭବାନ ହୋଇପାରିଛନ୍ତି ମହିଳା ଚାଷୀ ଲୋପାମୁଦ୍ରା ।

ତେବେ ଜମିରେ ଓ ଚାଷୀଙ୍କ ପାଇଁ ଅହରହ ଚେଷ୍ଟା କରୁଥିବା ଲୋପାମୁଦ୍ରା ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କେବଳ ରିହାତି ଦରରେ ବିହନ ମିଳିବା ଛଡା ଅନ୍ୟ କୌଣସି ସୁବିଧା ଆମ ପାଇଁ ଉପଲବ୍ଧ ନାହିଁ । ବଜାରର ଅଭାବୀ ବିକ୍ରୀ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବା କହିଛନ୍ତି ଲୋପା । ପନିପରିବା ଓ ପିଆଜ ପାଇଁ ସରକାରଙ୍କ ତରଫରୁ ସଂରକ୍ଷଣ ବ୍ୟବସ୍ଥା କରାଗଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ।

ପୁରୁଷ ଚାଷୀମାନେ ଋଣ ଭାର ଓ ଅଭାବୀ ବିକ୍ରୀରେ ଭାଂଗିପଡୁଥିବା ବେଳେ ଲୋପା ଚାଷୀ ଭାବେ ଠିଆ ହେବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । ଓଡିଶାରେ ଏକ ଅନ୍ଧବିଶ୍ୱାସ ଭରା କଳାହାଂଡି ଜିଲ୍ଲାରେ ଜଣେ ମହିଳା ହୋଇ କୃଷି କ୍ଷେତ୍ରକୁ ଆପଣାଇ ନେବା ଅତ୍ୟନ୍ତ କଷ୍ଟକର ବ୍ୟାପାର । କୌଣସି ପରିସ୍ଥିତିରେ ହାର ନମାନି ନିଜର ମାତ୍ର ୫୦ଡେସିମିଲ ଜମିରେ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏଥିପାଇଁ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । କିନ୍ତୁ ସେ ହାରିଯାଇନାହାନ୍ତି । ବରଂ ପୁରୁଷ ସହ କାନ୍ଧ ମିଳାଇ ଠିଆହେବାକୁ ଉଦ୍ୟମ କରିଛନ୍ତି । ପୁରୁଷ ପ୍ରାଧାନ୍ୟ ସମାଜରେ ଲୋପାମୁଦ୍ରାଙ୍କ ଭଳ ଜଣେ ବିବାହିତା ମହିଳାଙ୍କର ଏଭଳି ଉଦ୍ୟମ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ ।