ରାଜନୀତିରେ ଦାନ ମାଝୀ : ସରକାରଙ୍କୁ କାଠଗଡାରେ ଛିଡା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

59

କନକ ବ୍ୟୁରୋ : ଗୁମୁଡ଼ୁମାହା ଗୁଳିକାଣ୍ଡ ଓ ନଗଡ଼ା ଅନାହାର ପରେ କଳାହାଣ୍ଡିର ଶବ ବୁହାକୁ ନେଇ ପୁଣି କାଠଗଡ଼ାରେ ରାଜ୍ୟ ସରକାର। ନବୀନଙ୍କ ଲୋକପ୍ରିୟ ସରକାରକୁ ଦୋହଲାଇ ଦେଇଛି ଦାନମାଝୀଙ୍କ କାହାଣୀ। ଏତେ ସବୁ ବ୍ୟବସ୍ଥା ପରେ ଦାନ ମାଝୀଙ୍କୁ କେମିତି ଆମ୍ବୁଲାନ୍ସଟିଏ ମିଳିଲାନି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ତେବେ ଜିଲ୍ଲାର ବରିଷ୍ଠ କଂଗ୍ରେସ୍ ନେତା ଭକ୍ତ ଦାସଙ୍କ ଅଭିଯୋଗ ଏହି ଘଟଣାକୁ ଆହୁରି ସଂଗୀନ କରିଛି। ସେ କହିଛନ୍ତି ଧାର ଉଧାର କରି ସ୍ତ୍ରୀର ଚିକିତ୍ସା ପାଇଁ ଦାନ ଆଣିଥିଲେ ୨ହଜାର ଟଙ୍କା। ସେହି ଟଙ୍କାର ସିଂହଭାଗ ଅର୍ଥ ଖର୍ଚ୍ଚ ହୋଇଛି ଲାଂଚ ହିସାବରେ। ଯାହାକି ବୟାନ କରୁଛି ସ୍ତ୍ରୀ ଜିଇଁଥିବା ବେଳେ ହିଁ ଶୋଷଣର ଶୀକାର ହୋଇଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଦାନ ମାଝୀଙ୍କୁ ଆମ୍ବୁଲାନ୍ସ ପାଇଁ ମନା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହା ଦୁର୍ଭାଗ୍ୟପୂର୍ଣ୍ଣ ।

ବ୍ୟବସ୍ଥାକୁ ଉପହାସ କରୁଥିବା ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ହୁଏତ ଅନ୍ୟ ଏକ ବଡ଼ ପ୍ରସଙ୍ଗ ଆସିଲେ ସମସ୍ତେ ଭୂଲି ଯିବେ ଏହି ଶବ ବୁହା ଘଟଣାକୁ।ତେଣୁ ପ୍ରଶ୍ନ ଉଠୁଛି , ଦାନ ମାଝୀ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଯେଉଁ ସନ୍ଦେଶ ଦେବାକୁ ଚାହୁଁଥିଲେ , ତାହା ସଫଳ ହେବ ତ।