କଳାହାଣ୍ଡି : ଧାନ ଅମଳ ପରେ ଏବେ ବିକ୍ରି ଚିନ୍ତା, ଅଭାବି ବିକ୍ରିର ଶିକାର ହେଲେଣି ଚାଷୀ

30

କନକ ବ୍ୟୁରୋ : ନଭେମ୍ବର ୧ ତାରିଖରୁ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ସରକାର । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଧାନ କିଣା ଆରମ୍ଭ ହୋଇପାରିନାହିଁ । ତେବେ ପ୍ରଶାସନିକ ଅବହେଳାକୁ ଲୁଚାଇବାକୁ ଯାଇ ତରବରିଆ ଭାବେ କେବଳ ଟୋକନ ବଂଟା ଯାଇଥିବା ବେଳେ ଧାନ ମୁଠାଏ ବି କିଣା ଯାଇନାହି ।

ଧାନ ଅମଳ ହେବା ପରେ ଏବେ ବିକ୍ରି କରିବା ଚିନ୍ତା । ଚାଷୀ ଧାନ ଅମଳ କରି ଘରକୁ ନେଉଥିବା ବେଳେ ଆରମ୍ଭ ହୋଇନି ଧାନ ମଣ୍ଡି । ଫଳରେ ଅଭାବି ବିକ୍ରିର ଶିକାର ହେଲାଣି ଚାଷୀ । କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୧ତାରିଖରୁ ଧାନ କିଣା ଆରମ୍ଭ କରିବା ପାଇଁ ସରକାର ଘୋଷଣା କରିଥିଲେ । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ କ୍ୱିଂଟାଲ ଧାନ ଅମଳ ହେବାର ସମ୍ଭାବନା ରହିଛି । ଏଥିରୁ ଛୋଟ ଧାନ ସବୁ ଅମଳ ହେଲାଣି । ଚାଷୀ ଉପରେ ନିର୍ଭର କରି ବଂଚୁଥିବା କ୍ଷୁଦ୍ର ଚାଷୀ ଧାନ ଅମଳ ହୋଇ ମଣ୍ଡି ଆରମ୍ଭ ନହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବଂ ଗୁଜୁରାଣ ମେଂଟାଇବା ପାଇଁ ବାଧ୍ୟରେ କମ ଦରରେ ଧାନ ବିକ୍ରି କରୁଛନ୍ତି ।

ଓଡିଶାର ଦ୍ୱିତୀୟ ଅଧିକ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ ପରିଚିତ କଳାହାଣ୍ଡି । ଜିଲ୍ଲାରେ ଧାନର ଅଭାବି ବିକ୍ରି ରୋକାଯିବା ପାଇଁ ନଭେମ୍ବର ୧ ରୁ ଧାନ କିଣିବା ନେଇ ଘୋଷଣା କରିଥିଲେ ସରକାର । ହେଲେ ଆରମ୍ଭ ହୋଇନାହିଁ ଧାନ କିଣା । ସେପଟେ ବିଭାଗୀୟ ମନ୍ତ୍ରୀ ଧାନ କିଣା ନହେଲେ ମିଲରଙ୍କ ନାଁରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହୁଥିବା ବେଳେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ମିଲରଙ୍କ ସହ ଚୁକ୍ତି ବି ହୋଇନାହି । ଅନ୍ୟପଟେ ଖାଲି ଟୋକନ ବାଂଟି ଦେଇ ଧାନ କିଣା ଆରମ୍ଭ ବୋଲି କହିଛି ପ୍ରଶାସନ । ଅଭାବୀ ବିକ୍ରିକୁ ରୋକିବା ପାଇଁ ଧାନ କିଣା ଶୀଘ୍ର ଆରମ୍ଭ ପାଇଁ କରାଯାଇଥିବା ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଛି । ଧାନ ବିକ୍ରି ଆରମ୍ଭ ହୋଇ ନଥିବାରୁ ବାଧ୍ୟ ହୋଇଧାନକୁ କମ ଦରରେ ବିକ୍ରି କରୁଛନ୍ତି ଚାଷୀ ।