ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର କଳାହାଣ୍ଡି ଲିଙ୍କ୍ ! ଭବାନୀପାଟଣା ସାଇବର କେଫରେ ପୁଲିସର ଚଢ଼ଉ

39

କନକ ବ୍ୟୁରୋ: ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପାଟଣାଗଡ଼ ପୁଲିସକୁ ମିଳିଛି କଳାହାଣ୍ଡି ଲିଙ୍କର ସୁରାକ୍ । ସ୍କାଏ କିଙ୍ଗ କୋରିଅରରେ ମୃତ୍ୟୁ ଉପହାର ପ୍ୟାକେଟ୍ ପଠାଯିବା ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏକ ସାଇବର କେଫରୁ ଏହାର ଟ୍ରାକିଂ କରାଯାଇଥିଲା । ଏହି ସୂଚନା ପାଇବା ପରେ ଭବାନୀପାଟଣା ମହାବୀରପଡ଼ାରେ ଥିବା ସଂପୃକ୍ତ ସାଇବର କେଫରେ ଚଢ଼ଉ କରାଯାଇଛି ।

ଏହାର କମ୍ପ୍ୟୁଟର ହାର୍ଡଡିସ୍କ ଚେକ୍ କରାଯିବା ସହ ସ୍ଥାନୀୟ ବିଏସଏନଏଲ୍ ଅଫିସରେ ମଧ୍ୟ ଏନେଇ ଯାଞ୍ଚ କରାଯାଇଛି । ଏହି ସାଇବର କେଫରେ କିଏ ଓ କ’ଣ ପାଇଁ ଏହି ଟ୍ରାକିଂ କରିଥିଲେ ତାହାର ତନାଘନା ଚାଲିଛି । ଏପଟେ ପୁଲିସର ଅନ୍ୟ ଏକ ଟିମ୍ ସାଇବର ବିଶେଷଜ୍ଞମାନଙ୍କ ସହ ପରାମର୍ଶ ଚଳାଇଥିବା ଜଣାପଡ଼ିଛି ।

ଏହି ସ୍ପର୍ଶକାତର ଘଟଣାର ତଦନ୍ତ ପାଇଁ ପାଟଣାଗଡ଼ ପୁଲିସ କୋଲକାତା ଯାଇ କୋରିଅର ସଂସ୍ଥାର ରେକର୍ଡ ଓ ପାର୍ସଲ ଡେଲିଭରି ପୂର୍ବର ଟ୍ରାକିଂ ରେକର୍ଡ ଯାଞ୍ଚ କରିଥିଲା । ଟ୍ରାକିଂ ରେକର୍ଡରୁ ଭବାନୀପାଟଣାର ଏହି ଇଣ୍ଟରନେଟ କେଫରୁ ପାର୍ସଲ ଟ୍ରାକିଂ ହୋଇଥିବା ସୂଚନା ମିଳିଥିଲା । ଏନେଇ ପାଟଣାଗଡ଼ ପୁଲିସ ପକ୍ଷରୁ ଆଇଆଇସି ବାରେଣୀ ଦାସ, ଏସଆଇ ମଳୟ ପଣ୍ଡାଙ୍କ ସହିତ ଏକ ୭ଜଣିଆ ଟିମ ଗତ ଗୁରୁବାର ସନ୍ଧ୍ୟାରେ ଭବାନୀପାଟଣାରେ ପହଞ୍ଚିଥିଲେ । କଳାହାଣ୍ଡି ଏସପିଙ୍କୁ ସାକ୍ଷାତ କରିବା ପରେ ଘଟଣାର ଖୋଳତାଡ଼ ପାଇଁ ବାହାରିଥିଲେ । ଏହି ସମୟରେ ଇଣ୍ଟରନେଟ କେଫ୍ ମାଲିକ ଇରିଗେସନ୍ କଲୋନିରେ ତାଙ୍କ ଘରେ ଥିଲେ । ତାଙ୍କୁ ସେଠାରୁ ଆଣି କେଫକୁ ଆସିଥିଲେ । କମ୍ପ୍ୟୁଟର ହାର୍ଡଡିକ୍ସ ତନଖି କରି ତଦନ୍ତ ଆରମ୍ଭ କରିଥିଲେ । ପରେ ବିଏସଏନଏଲ୍ ଅଫିସ ଯାଇ ତଦନ୍ତ କରିଥିଲେ । ରାତି ପ୍ରାୟ ସାଢ଼େ ଦଶଟାରେ ତଦନ୍ତ ଶେଷ କରି କଳାହାଣ୍ଡି ଏସପିଙ୍କୁ ପୁନର୍ବାର ଭେଟି ଫେରି ଯାଇଥିଲେ । ଅତ୍ୟନ୍ତ ଗୋପନୀୟ ଭାବେ ଏହି ତଦନ୍ତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହାର ଟେର ପାଇ ନଥିଲେ ।

ଏଠାରେ ତଦନ୍ତରୁ କ’ଣ ମିଳିଛି ସେ ବିଷୟରେ ପୁଲିସ ମୁହଁ ଖୋଲୁ ନଥିଲେ ମଧ୍ୟ ପାର୍ସଲ ବୋମା ବିସ୍ଫୋରଣ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିବା ଚର୍ଚ୍ଚା ହେଉଛି।