ଲୁହ ଦେଲା ପିଆଜ ! ସରକାରଙ୍କ ଉଦାସିନତା ଯୋଗୁଁ ଅଧିକ ଅମଳ କରି ହଟହଟା ଚାଷୀ

42

କନକ ବ୍ୟୁରୋ : ଅଧିକ ଫସଲ ଅମଳ କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଏଭଳି ଅଭିଯୋଗ ଆସିଛି ପଛୁଆ ଅଂଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାରୁ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ପ୍ରଚୁର ପରିମାଣରେ ପିଆଜ ଚାଷ ହୋଇଛି । ତେବେ ସରକାରଙ୍କ ଉଦାସିନତା ଯୋଗୁଁ ଚାଷୀ ଅଭବି ବିକ୍ରିର ଶିକାର ହେଉଛନ୍ତି । ପିଆଜ ଉତ୍ପାଦନ ଅଧିକ ହେଲେ କଣ ହେବ ବିକ୍ରି ପାଇଁ ନାଁ ଅଛି ମାକେର୍ଟ ବ୍ୟବସ୍ଥା ନାଁ ମଣ୍ଡି । ଫଳରେ ଚାଷୀ ବାଧ୍ୟ ହୋଇ ଶାଗମାଛ ଦରରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ପିଆଜ ବିକ୍ରି କରୁଥିବା କହିଛନ୍ତି ।

ତେବେ ରାଜ୍ୟରେ ବର୍ଷକୁ ୫ ଲକ୍ଷ ଟନ୍ ପିଆଜର ଆବଶ୍ୟକତା ରହିଛି । ୨ ଲକ୍ଷ ଟନ୍ ଓଡିଶାରେ ଅମଳ ହେଉଥିବା ବେଳେ ବାକି ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶ ଓ ବାଙ୍ଗାଳୁରୁ ଆମଦାନ କରିଥାନ୍ତି ରାଜ୍ୟ ସରକାର । ହେଲେ ନିଜ ରାଜ୍ୟରେ ଚାଷୀ ଅମଳ କରୁଥିବା ପିଆଜକୁ ବିକ୍ରି କରି ନପାରି ଅଭାବି ବିକ୍ରିର ସାମ୍ନା କରୁଛି । ଚଳିତ ବର୍ଷ ସରକାରୀ ଭାବରେ ୫୦୦ ହେକ୍ଟରରେ ପିଆଜ ଚାଷ ହୋଇଛି ବୋଲି ବିଭାଗ କହୁଥିବା ବେଳେ ବେସରକାରୀ ଭାବରେ ୧ ହଜାରରୁ ଉର୍ଦ୍ଧ ହେକ୍ଟରରେ ଜମିରେ ଚାଷ ହୋଇଛି । ଯେଉଁଥିରେ ପାଖାପାଖି ୧୬ ହଜାର ମେଟ୍ରିକଟନ୍ ପିଆଜ ଉତ୍ପାଦନ ହେବ ।

ଏତେ ସଂଖ୍ୟାରେ ପିଆଜ ଉତ୍ପାଦନ ହେଲେ ମଧ୍ୟ ଏଠି ଲୋକେ ମାର୍କେଟ ବ୍ୟବସ୍ଥା ନଥିବା ଯୋଗୁଁ ବିକ୍ରି କରିପାରୁ ନାହାନ୍ତି । ସେହିପରି ପିଆଜ ରଖିବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ସେମାନେ ପିଆଜକୁ ଅଧିକ ସମୟ ରଖିପାରୁ ନଥିବା କହିଛନ୍ତି ।