ଆମ୍ବୁଲାନ୍ସ ଦେଲେନି ହେଲେ ଦେଲେ ନାଲିବତୀ : ଧାନଙ୍କୁ ହାଇଜାକ୍ ଡ୍ରାମା

74

କନକ ବ୍ୟୁରୋ : କେବଳ ରାଜ୍ୟ ନୁହେଁ ଦିଲ୍ଲୀର ବଡ଼ ବଡ଼ ସାମ୍ବାଦିକଙ୍କ ମୁହଁରେ ଏବେ ଧାନ ମାଝୀଙ୍କ ନାଁ û ଏଭଳି ଗୋଟିଏ ହୃଦୟ ବିଦାରକ ଚିତ୍ର ନବୀନଙ୍କ ସଫେଦ୍ କୁର୍ତାରେ କଳା ବୋଳି ଦେଇଛି। ତେଣୁ ସରକାରୀ ବାବୁମାନେ ଆଉ ଚାହୁଁନାହାଁନ୍ତି ଧାନଙ୍କୁ ମିଡ଼ିଆର କ୍ୟାମେରା ଆଗକୁ ଆଣିବାକୁ। ଏଥିପାଇଁ ଜିଲ୍ଲା ପ୍ରଶାସନ ଗତକାଲି ଠାରୁ କରିଥିଲା ବ୍ଲୁ ପ୍ରିଂଟ। ଆଜି ପାହାନ୍ତି ପହରରୁ ଧାନଙ୍କୁ ଜିପରେ ବସାଇ ଗାଁରୁ ଅଣାଯାଇଥିଲା ଭବାନୀପାଟଣକୁ । ତଦନ୍ତ ନାଁରେ ଧାନଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିଲା। ଆଉ ଗଣମାଧ୍ୟମକୁ କୁହାଯାଇଥିଲା , ତଦନ୍ତ ଚାଲିଛି, ଯାହାକୁ ଗୋପନ ରଖାଯାଉଛି।

ଶୋକାକୁଳ ପରିବାରକୁ ଘରେ ଛାଡ଼ି, ପ୍ରଶାସନର ଭୟରେ ଧାନ ଆସି ଯାଇଥିଲେ ଭବାନୀପାଟଣା। ତେଣୁ ଶୁଦ୍ଧି ଘରେ ଅଟକି ଯାଇଥିଲା ଆଦିବାସୀଙ୍କ ରୀତି। ମଙ୍ଗଳବାର ରାତିରେ ଯିଏ ଆମ୍ବୁଲାନ୍ସଟିଏ ନପାଇ ଶବକୁ କାନ୍ଧେଇଥିଲେ ,ଆଜି କିନ୍ତୁ ବସି ଥିଲେ ନାଲିବତୀ ଗାଡ଼ିରେ । କାଲି ପର୍ଯ୍ୟନ୍ତ ଯିଏ ପ୍ରଶାସନ ପାଇଁ ଅଛୁଆଁ ଥିଲା ଆଜି ଯେମିତି ଜ୍ୱାଇଁ ପୁଅ ପାଲଟିଯାଇଥିଲା। ତେବେ ଧାନଙ୍କ ଭୟ ରହିଥିଲା ସରକାରଙ୍କ ସାଦା କାଗଜ ଉପରେ। କାରଣ ୧୦ ହଜାର ଟଙ୍କା ଦେଇ ଧାନଙ୍କ ଠାରୁ ସରକାରୀ ବାବୁ ନେଇଯାଇଛନ୍ତି ଦସ୍ତଖତ । ସେପଟେ ବେଙ୍ଗାଲୁରୁରୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ରାତି ଅଧିରେ ମୃତ ସ୍ତ୍ରୀକୁ ଧରି ମେଡ଼ିକାଲରେ ଧାନ କାର୍ହିକି ହେଲେ ହିନସ୍ତା? ନିଜ ସ୍ତ୍ରୀର ଶବକୁ ୬୦ କିଲୋମିଟର ବାଟ କାନ୍ଧେଇ ନେବା କଣ ଧାନଙ୍କ ପାଇଁ ଅସମ୍ଭବ ମନେ ହୋଇ ନଥିଲା କି? ମୃତ୍ୟୁ ପରେ ମେଡ଼ିକାଲରୁ ତୁରନ୍ତ ଶବ ବାହାରକୁ ନେଇଯିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା କି? ଏସବୁ ପ୍ରଶ୍ନର ଉତ୍ତର ଅପେକ୍ଷାରେ ସମସ୍ତେ।