ଡଙ୍ଗରିଆଙ୍କ ବିଜୟ ଉତ୍ସବ

25

କଳାହାଣ୍ଡି : ହାତରେ ରହିଛି ପାରମ୍ପରିକ ଅସ୍ତ୍ରଶସ୍ତ୍ର । ପଦଯାତ୍ରାରେ ବାହାରିଛନ୍ତି ଶହଶହ ଡଙ୍ଗରିଆ କନ୍ଧ । ଏହା ପ୍ରତିବାଦର ଶୋଭାଯାତ୍ରା ନୁହେଁ ବିଜୟ ପଦଯାତ୍ରା । ନିୟମଗିରି ଗ୍ରାମସଭାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବିଜୟ ଶୋଭାଯାତ୍ରା ମନାଉଛନ୍ତି ନିୟମଗିରି ପାହଡରେ ପୁରୁଷ ପୁରୁଷ ଧରି ରହୁଥିବା ଡଙ୍ଗରିଆ କନ୍ଧ । ମେ’ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସମ୍ମାନ ଜଣାଇ ନିୟମଗିରି ସୁରକ୍ଷା ସମିତି ଏହି ବିଜୟ ପଦଯାତ୍ରା କରୁଛି ।

୧୧୨ଟି ଗାଁରେ ରହୁଥିବା ଡଙ୍ଗରିଆ, ଝରଣୀଆ ଓ ଆଦିବାସୀମାନେ ୫ଟି ଦଳରେ ଭାଗ ଭାଗ ହୋଇ ୨୯ରୁ ବିଜୟ ପଦଯାତ୍ରା କରୁଛନ୍ତି । ଏହି ପଦଯାତ୍ରା ଆସନ୍ତା ୫ ଯାଏଁ ଚାଲିବ । ୧୪ ବର୍ଷ ଧରି ଡଙ୍ଗରିଆଙ୍କ ସୁରକ୍ଷା ଓ ନିୟମଗିରି ରାଜାର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିଲା ନିୟମଗିରି ସୁରକ୍ଷା ସମିତି । ବେଦାନ୍ତ କମ୍ପାନୀ ଓ ପ୍ରଶାସନର ନୀତି ବିରୋଧରେ କଳାହଣ୍ଡି ସମେତ ରାଜଧାନୀର ରାଜରାସ୍ତାରେ ମଧ୍ୟ  ଆନ୍ଦୋଳନ କରିଥିଲା ସମିତି । ଶେଷରେ ଡଙ୍ଗରିଆଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରକୃତିକ ସମ୍ପଦରେ ଭରପୁର ନିୟମଗିରିରେ ବିଜୟ ଉତ୍ସବ ପାଳନ କରାଯାଉଛି ।