ସକାଳୁ କୁହୁଡି, ଦିନରେ ଖରାର ପ୍ରକୋପ ! ଟିଟଲାଗଡ ପାଲଟିଲା ତତଲାଗଡ, ହିଟୱେଭର ସତର୍କ ସୂଚନା

42

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ସମେତ ଉପକୂଳ ଓଡିଶାରେ କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି । ଏହାର ପ୍ରଭାବରେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମ୍ ହେବ। ୨୦ ତାରିଖ ପରଠାରୁ ରାଜ୍ୟରେ ପୁଣିଥରେ ତାତିର ପ୍ରକୋପ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ଖରାଦିନ ଆରମ୍ଭ ହେଉ ହେଉ ଓଡ଼ିଶାର ଟିଟିଲାଗଡ଼ ପାଲଟିଛି ଦେଶର ତତଲାଗଡ଼। ଗତକାଲି ଏଠାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଠାରେ ତାପମାତ୍ରା ୩୮ରୁ ୪୦.୫ ଡିଗ୍ରି ମଧ୍ୟରେ ରହିଥିଲା। ପବନର ବେଗ କମ୍ ରହିଥିବାରୁ ତାପମାତ୍ରା ବଢ଼ିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । କେବଳ ଟିଟିଲାଗଡ଼ ନୁହେଁ ସମ୍ବଲପୁର ମଧ୍ୟ ଦେଶର ଅନ୍ୟତମ ତତଲା ସହର ପାଲଟିଛି । ଏଠାରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ମହରାଷ୍ଟ୍ରର ଏକ ସହର ସମେତ ସମ୍ବଲପୁରର ତାପମାତ୍ରା ମିଳିତ ଭାବେ ୪୦.୩ ଡିଗ୍ରି ରହିଛି । ଦେଶର ମୋଟ ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଓଡ଼ିଶାର ଦୁଇଟି ସହର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ଉତ୍ତପ୍ତ ସହରରେ ପରିଣତ ହେବା ଚିନ୍ତା ବଢ଼ାଇଛି ।

ଚଳିତବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଟପିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗତକାଲି ଉପକୂଳ ଓଡ଼ିଶାରେ ହିଟ୍ ଓ୍ଵଭ୍ ସତର୍କ ସୂଚନା ଜାରି ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ଓ ସମ୍ବଲପୁର ସହ ଅନ୍ୟ ସମସ୍ତ ସହରର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଉପରକୁ ଚାଲିଯାଇଛି । ତାଳଚେର ଓ ଅନୁଗୁଳ ସହର ବି ତାତିଛି । ତାଳଚେରର ତାପମାତ୍ରା ୩୯.୯ ଡିଗ୍ରି ଓ ଅନୁଗୁଳରେ ୩୯.୪ ଡିଗ୍ରି ରହିଥିଲା । ବଲାଙ୍ଗିରରେ ୩୯.୩, ଝାରସୁଗୁଡ଼ାରେ ୩୯.୨, ହୀରାକୁଦ ୩୯.୧, ସୋନପୁରରେ ୩୯, ଭବାନୀପାଟଣା ୩୮ ଡିଗ୍ରି ରେକର୍ଡ କରାଯାଇଛି । ଭୁବନେଶ୍ୱର ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହୋଇଛି । ରାଜ୍ୟର ୨୦ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।