ରାଜଧାନୀରେ କାଳବୈଶାଖୀର ତାଣ୍ଡବ ! ଭାଙ୍ଗିଲା ଗଛ, ଛିଣ୍ଡିଲା ପୋଷ୍ଟର । ପ୍ରବଳ ଧୂଳିଝଡରେ ଜନଜୀବନ ଅସ୍ତବ୍ୟସ୍ତ ।

268

ରାଜଧାନୀରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି । ଅଚାନକ ଧୂଳିଝଡ଼ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀ ସମେତ ଏହାର ଉପକଣ୍ଠରେ ପ୍ରବଳ ଧୂଳିଝଡ଼ ସହ ଜୋରରେ ପବନ ହେବା ଯୋଗୁଁ ଚାରିଆଡେ ଧୂଳିମୟ ହୋଇଯାଇଛି । ଧୂଳିଝଡ଼ ଯୋଗୁଁ ସମଗ୍ର ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହାର ପ୍ରଭାବ ରାତି ୧୦ଟା ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି ।

କାଳବୈଶାଖୀ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ରାସ୍ତାକଡ଼ରେ ଥିବା ହୋଡିଂଗୁଡ଼ିକରେ ଲାଗିଥିବା ପୋଷ୍ଟରଗୁଡ଼ିକ ଛିଣ୍ଡି ଉଡୁଥିବାର ଦେଖିବାକୁ ମିଳିଛି । ରାଜଧାନୀରେ ଅଚାନକ କାଳବୈଶାଖୀ ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରବଳ ଧୂଳିଝଡ଼ ଯୋଗୁଁ ଚାରିଆଡେ ଧୂଳିମୟ ହୋଇ ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇଉଠିଥିଲା । ଏଥିସହିତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା ।