ମଣ୍ଡିରେ ବିତିଲା ରାତି ! ଦୁଇ ଦିନ ହେଲା ଖୋଲା ଆକାଶ ତଳେ ଶୀତ କାକରରେ ଧାନକୁ ଜଗି ରହିଛନ୍ତି ଚାଷୀ, ମିଲର ଆସୁନଥିବା ଅଭିଯୋଗ ।

74

କନକ ବ୍ୟୁରୋ : ମଣ୍ଡିରେ ବିତିଲା ରାତି । ଦୁଇ ଦିନ ହେଲା ଖୋଲା ଆକାଶ ତଳେ ଶୀତ କାକରରେ ଧାନକୁ ଜଗି ରହିଛନ୍ତି ଚାଷୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର କୁଣ୍ଢେଇହାଟ ଧାନମଣ୍ଡିରେ । ଧାନ ସଂଗ୍ରହ କରିବା ପାଇଁ ସମବାୟ ସମ୍ପାଦକ କିମ୍ବା ମିଲର କାହାରି ଦେଖା ନଥିବା ଅଭିଯୋଗ ହୋଇଛି । ଫଳରେ ମଣ୍ଡିରେ ଧାନକୁ ଜଗି ରହିଛନ୍ତି ଚାଷୀ । ବର୍ଷା ଆଶଙ୍କା ଦେଖାଦେଇଥିବା ବେଳେ ଧାନକୁ ଘୋଡାଇ ରଖିବା ସହ ରାତି ତମାମ ଶୀତ କାକରରେ ଧାନକୁ ଜଗି ରହିଛନ୍ତି ଚାଷୀ ।

ସେପଟେ ମଣ୍ଡିରୁ ଧାନ ଉଠା ଯାଉନଥିବା ନେଇ ଚାଷୀ ଓ ବେପାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । କୁଣ୍ଢେଇହାଟ ଧାନମଣ୍ଡିରେ ୧୭ଶହ ବସ୍ତା ଧାନ ଆସିଥିବା ବେଳେ ସେଥିରୁ ଅଧା ଧାନ ବେପାରୀଙ୍କର । ସମବାୟ ସମିତି କର୍ମଚାରୀ ପ୍ରଥମେ ବେପାରୀଙ୍କ ଧାନ ସଂଗ୍ରହ କରିବା ପାଇଁ ତାଲିକା ପ୍ରସ୍ତୁତ କରିଥିବା ଅଭିଯୋଗ କରିଛନ୍ତି । ଏବଂ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ବିବାଦ ଦେଖାଦେଇଥିଲେ ମଧ୍ୟ ମଣ୍ଡି ସମବାୟ ସମ୍ପାଦକ କି ମିଲରଙ୍କ ଦେଖା ନଥିବା ଚାଷୀ ଅଭିଯୋଗ କରିଛନ୍ତି ।