ଓଦା ହୋଇ ନଷ୍ଟ ହୋଇଗଲା ଲକ୍ଷ ଲକ୍ଷ ଟଙ୍କା : ମା ମଙ୍ଗଳାଙ୍କ ହୁଣ୍ଡିରେ ପାଣି ପଶି ନଷ୍ଟ ହେଲା ଭକ୍ତଙ୍କ ଦାନ ଅର୍ଥ

31

କନକ ବ୍ୟୁରୋ : ପାଣିରେ ପଡିଲା ମାଙ୍କ ଲକ୍ଷ ଲକ୍ଷ ଟଙ୍କା । କାକଟପୁରର ମା ମଙ୍ଗଳାଙ୍କ ହୁଣ୍ଡିରେ ଗତକାଲି ଖୋଲିଥିବା ଦ୍ୱିତୀୟ ହୁଣ୍ଡିର ଲକ୍ଷ ଲକ୍ଷ ନୋଟ୍ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ଏହାକୁ ଗଣିବା ଏକପ୍ରକାର ସମ୍ଭବ ହୋଇନାହିଁ । ହୁଣ୍ଡିରେ କଣା ଯୋଗୁଁ ସେହିବାଟ ଦେଇ ପାଣି ପଶି ଭକ୍ତଙ୍କ ଦାନ ଟଙ୍କା ନଷ୍ଟ ହୋଇଯାଇଛି । ଓଦା ଟଙ୍କାକୁ ଟ୍ରଷ୍ଟ ବୋର୍ଡ ଅଫିସରେ ଲାଇଟ ଦେଇ ଶୁଖାଯାଉଛି । ବ୍ୟାଙ୍କ ଏହି ନଷ୍ଟ ନୋଟ ନେବାକୁ ଅସମର୍ଥ ପ୍ରକାଶ କରିବା ପରେ ସମସ୍ୟାରେ ପଡିଛି ପ୍ରଶାସନ । ପରିସ୍ଥିତି ଏଭଳି ହୋଇଛି ଯେ,ଟଙ୍କାକୁ ହାତରେ ଗଣିବା ସମ୍ଭବ ହେଉନାହିଁ । ଗୋଟିଏ ନୋଟରୁ ଆଉ ଗୋଟିଏ ନୋଟକୁ ଅଲଗା କରିବା ବେଳେ ତାହା ଚିରିଯାଉଛି ।

୨୦୧୬ ଡିସେମ୍ବରରେ ଶେଷ ଥର ଲାଗି ହୁଣ୍ଡି ଖୋଲିଥିଲା । ପରେ ବିଶୃଙ୍ଖଳା ଓ ଅବହେଳା ଯୋଗୁଁ ୧୮ ମାସ ଧରି ହୁଣ୍ଡି ଖୋଲିନଥିଲା । ବହୁ ଅସନ୍ତୋଷ, ଦାବି ଓ ପ୍ରତିବାଦ ପରେ ଏହି ହୁଣ୍ଡି ଖୋଲିଥିଲା । ବହୁ ପ୍ରତିବାଦ ପରେ ଚଳିତ ମାସ ୭ ତାରିଖରେ ପ୍ରଥମ ହୁଣ୍ଡି ଓ ୧୧ ତାରିଖରେ ଦ୍ୱିତୀୟ ହୁଣ୍ଡି ଖୋଲାଯାଇଥିଲା । ଦୁଇ ହୁଣ୍ଡିରୁ ମୋଟ ୧୭ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ହେଲେ ଦ୍ୱିତୀୟ ହୁଣ୍ଡିରେ କଣା କାରଣରୁ ସେ ବାଟ ଦେଇ ପାଣି ପଶି ନୋଟସବୁ ନଷ୍ଟ ହୋଇଯାଇଛି । ବଡ ପ୍ରଶ୍ନ ଉଠୁଛି ଏଥିପାଇଁ ପ୍ରଶାସନ ଦାୟୀ ନା ଦେବୋତ୍ତର ବିଭାଗ । ସେବାୟତ କହିଛନ୍ତି, ହୁଣ୍ଡିଟି ନଷ୍ଟ ହୋଇଯାଇଥିଲା । ପ୍ରଶ୍ନ ହେଲା, ହୁଣ୍ଡିକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା କିଏ ।