ପ୍ରଥମ ପର୍ଯ୍ୟାୟ ମାନସରୋବର ଯାତ୍ରା ସଂପନ୍ନ ! କଷ୍ଟକର ଏହି ତିର୍ଥଯାତ୍ରା ପାଇଁ ଆବଶ୍ୟକ ଶାରୀରିକ ଓ ମାନସିକ ଫିଟନେସ

52

କନକ ବ୍ୟୁରୋ: କୈଳାସ ମାନସରୋବର ଯାତ୍ରା ସମ୍ପୂର୍ଣ କରି ଫେରିଛନ୍ତି ପ୍ରଥମ ତୀର୍ଥଯାତ୍ରୀ ଦଳ । ୧୮ ଦିନର ଯାତ୍ରା ପୂରା କରି ଏହି ଯାତ୍ରୀ ଦଳ ପିଥୋରଗଡ ଫେରିଆସିଛନ୍ତି । ଗତ ୧୨ ତାରିଖରେ ଏହି ଯାତ୍ରୀଦଳ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ । ୧୭ ଜଣ ମହିଳାଙ୍କ ସମେତ ଏହି ଦଳରେ ମୋଟ ୫୯ ଜଣ ଯାତ୍ରୀ ସାମିଲ ଥିଲେ । ତେବେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଜଣେ ଯାତ୍ରୀ ଅଧାବାଟରୁ ଫେରି ଆସିଥିଲେ । ଫଳରେ ପ୍ରଥମ ତୀର୍ଥଯାତ୍ରୀ ଦଳର ୫୮ ଜଣ କୈଳାସ ମାନସରୋବର ଯାତ୍ରା ସମ୍ପୂର୍ଣ କରି ଫେରିଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ତୀର୍ଥଯାତ୍ରୀମାନେ ଗୁଞ୍ଜିରେ ପହଂଚିଥିଲେ । ସେଠାରୁ ଆଜି ସକାଳେ ବାୟୁସେନା ହେଲିକପ୍ଟରରେ ଯାତ୍ରୀମାନଙ୍କୁ ପିଥୋରଗଡର ନୈନୀ-ସୈନୀ ବିମାନବନ୍ଦରକୁ ଅଣାଯାଇଛି । ଏହି ତୀର୍ଥଯାତ୍ରୀ ଦଳରେ ୧୪ଟି ରାଜ୍ୟର ଯାତ୍ରୀ ସାମିଲ ଅଛନ୍ତି । ଚଳିତ ବର୍ଷ ଜୁନ୍ ୧୨ରୁ ଆରମ୍ଭ ହୋଇଥିବା କୈଳାସ ମାନସରୋବର ଯାତ୍ରା ସେପ୍ଟେମ୍ବର ୩୦ ଯାଏ ଚାଲିବ ।

ଏବେ ଆସନ୍ତୁ ଜାଣିବା କଣ ଏହି କୈଳାସ ମାନସରୋବର ଯାତ୍ରା ।

• ଏହି ଯାତ୍ରାରେ କୈଳାସ ପର୍ବତରେ ପ୍ରଭୂ ଶିବଶଙ୍କରଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି ତୀର୍ଥଯାତ୍ରୀ ।

• କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ୍ ସରକାରଙ୍କ ଅନୁମତି ଆବଶ୍ୟକ ପଡିଥାଏ ।

• ଭାରତ ସୀମାରୁ ୨ଟି ରାସ୍ତା ଦେଇ ଯାଇଥାନ୍ତି କୈଳାସ ମାନସରୋବର ତୀର୍ଥଯାତ୍ରୀ ।

• ଉତରାଖଣ୍ଡର ଲିପୁଲେଖ ଓ ସିକ୍କିମ୍ର ନାଥୁଲା ବର୍ଡର ଦେଇ କୈଳାସ ପର୍ବତକୁ ଯିବାକୁ ପଡିଥାଏ ।

• ଗୋଟିଏ ତୀର୍ଥଯାତ୍ରୀ ଦଳରେ ସର୍ବାଧିକ ୬୦ ଜଣ ଯାତ୍ରୀ ରହିଥାନ୍ତି ।

• ସମୁଦ୍ର ପତନ ଠାରୁ ୧୪ ହଜାର ୯୫୦ ଫୁଟ୍ ଉଚ୍ଚରେ ଅବସ୍ଥିତ କୈଳାସ ପର୍ବତକୁ ଯାତ୍ରା ବେଶ୍ କଷ୍ଟସାଧ୍ୟ ।

• କୈଳାସ ମାନସରୋବର ଯାତ୍ରା ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହେବାକୁ ପଡିଥାଏ ।

• ଏହି ତୀର୍ଥଯାତ୍ରା ବେଳେ ପାହାଡିଆ ରାସ୍ତା, ପ୍ରତିକୂଳ ପରିବେଶ ଓ ଖରାପ ପାଗର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ ।

• ତେଣୁ କୈଳାସ ମାନସରୋବର ଯାତ୍ରା ପାଇଁ ଆବେଦନକାରୀଙ୍କୁ ମେଡିକାଲ ଯାଂଚର ସମ୍ମୁଖୀନ ହେବାକୁ ପଡିଥାଏ ।

• ମେଡିକାଲ ଯାଂଚରେ ବିଫଳ ହେଲେ କୈଳାସ ମାନସରୋବର ଯାତ୍ରା ପାଇଁ ଅନୁମତି ମିଳି ନଥାଏ ।